ଢେଙ୍କାନାଳ ଅଫିସ, ,୧୫।୩ ଏଥର ହାର୍ମୋନିୟମ ଉପରେ ଚାଲିବ ଅଙ୍ଗୁଳି। ଜନ୍ମରୁ ଆଖି ନାହିଁ ବୋଲି ଯେଉଁ ଅବସୋସ ରହିଯାଇଛି, ସେହି କ୍ଷତକୁ ଅନେକାଂଶରେ ଉପଶମ ହେବ। ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ହାରମୋନିୟମ୍ ଦିଆଯିବା ପରେ ଦୃଷ୍ଟିହୀନ ମଧୁମିତା ସାହୁଙ୍କୁ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ହେବାର ସ୍ବପ୍ନକୁ ନୂଆ ଦିଗ ମିଳିଛି, ଯାହାକୁ ନେଇ ସେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତ ନିମେଇପୁର ଗ୍ରାମର ଅନାଦି ଚରଣ ସାହୁ ଏବଂ ସୁମତି ସାହୁଙ୍କ ୩ ସନ୍ତାନଙ୍କ ମଧ୍ୟରେ ଏକମାତ୍ର କନ୍ୟା ମଧୁମିତା। ସେ ଜନ୍ମରୁ ଦୃଷ୍ଟିହୀନ। ଗରିବ ଚାଷୀ ପରିବାରର ଆର୍ଥିକ ଅନଟନ ତାଙ୍କ ସଙ୍ଗୀତ ଯାତ୍ରାରେ ସୃଷ୍ଟି କରିଥିଲା ପ୍ରତିବନ୍ଧକ। ହେଲେ ନିଜର ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇ ନ ଥିଲେ ମଧୁମିତା। ବହୁ କଷ୍ଟରେ ବିଏ ପାସ୍ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତି ବିଭାଗରେ ଓଡ଼ିଶୀ ଭୋକାଲରେ ସେ ପିଜି କରୁଛନ୍ତି। ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିଲେ ହେଁ, ଗୁରୁତ୍ୱର ଆର୍ଥିକ ପରିସ୍ଥିତି ଏଥିରେ ପ୍ରତିବନ୍ଧକ ସାଜିଛି। ଏଥିଲାଗି ସୋମବାର ବାପାଙ୍କ ସହ ମଧୁମିତା ଜିଲାପାଳ ସରୋଜ କୁମାର ସେଠୀଙ୍କୁ ଭେଟି ସହାୟତା କରିବାକୁ ନିବେଦନ କରିଥିଲେ। ମଧୁମିତାଙ୍କ ଚମତ୍କାର କଣ୍ଠରେ ଜିଲାପାଳ ଅଭିଭୂତ ହୋଇଥିବାବେଳେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ହାର୍ମୋନିୟମ କିଣିବା ଲାଗି ଅର୍ଥ ମଞ୍ଜୁର କରିଥିଲେ। ଏଥିସହ ତାଙ୍କୁ ଅନ୍ତ୍ୟୋଦୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି। ସେହିପରି ଅନାଦିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରିବାକୁ ଜିଲାପାଳ ଭୁବନ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ କୁହନ୍ତି, ଗୀତ ଅଭ୍ୟାସ ପାଇଁ ମଧୁମିତାଙ୍କୁ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ଜରିଆରେ ଏକ ହାରମୋନିୟମ ପ୍ରଦାନ କରାଯାଇଛି। ତାଙ୍କ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଇଛି। ଆଗାମୀ ଦିନରେ ସେବାଶ୍ରମ ବିଦ୍ୟାଳୟରେ ତାଙ୍କୁ ନିଯୁକ୍ତି ଲାଗି ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି।