ଖଇରାବାସୀଙ୍କ ଅଦାଲତ ସ୍ବପ୍ନ ମଉଳିଗଲାଣି

ଖଇରା,୯।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଦେୱାନୀ ଓ ଫୌଜଦାରୀ କୋର୍ଟ ଖୋଲିବା ଲାଗି ନିର୍ଦ୍ଦେଶନାମାର ଦେଢବର୍ଷ ବିତିଯିବାକୁ ବସିଥିବା ବେଳେ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିଲାନି। ଏଭଳି ଅସ୍ଥାୟୀ କୋର୍ଟ ପାଇଁ ଖଇରା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବାର ୧ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିଥିବା ବେଳେ କୋର୍ଟ ଖୋଲିବାର ଗନ୍ଧ ବାସନା ମିଳୁନି। ଏବେ ଏଭଳି ଅନିଶ୍ଚିତତା ମଧ୍ୟରେ କୋର୍ଟ ଖୋଲିବା ସ୍ବପ୍ନ ମଉଳିବାକୁ ଆରମ୍ଭ କଲାଣି। ଏଥିପାଇଁ ଖଇରାବାସୀ ରାଜନୈତିକ ନେତୃବୃନ୍ଦଙ୍କ ଇଛାଶକ୍ତି, ଜିଲା ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି। ଯଦି ସାଧାରଣ ନିର୍ବାଚନ ପୂର୍ବରୁ କୋର୍ଟ ଖୋଲିବାର ବ୍ୟବସ୍ଥା କରା ନ ଯାଏ ତେବେ ଏହି ପ୍ରସଙ୍ଗ ନେତାଙ୍କ ହାରଜିତ୍‌କୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଖଇରାବାସୀଙ୍କ ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ୨୦୨୨ ସେପ୍ଟେମ୍ବର ୨୪ତାରିଖରେ ଓଡିଶାର ୩୪ଟି ସ୍ଥାନରେ କୋର୍ଟ ଖୋଲିବା ପାଇଁ ଜାଗା ନିରୂପଣ ଓ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ଦ୍ୱାରା ବିଭିନ୍ନ ଜିଲାର ଜିଲା ଓ ସେସନ୍ସ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିମଧ୍ୟରେ ଖଇରାର ନାମ ଅନ୍ତର୍ଭୁକ୍ତ ଥିଲା। ସ୍ଥାୟୀ ଜାଗା ନିରୂପଣ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଖଇରା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କୋର୍ଟ ଚଳାଇବାକୁ ଜିଲା ବିଚାରପତିଙ୍କ ନେତୃତ୍ୱରେ ଏକ ଟିମ୍‌ ଖଇରା ପରିଦର୍ଶନରେ ଆସି ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ବିଡିଓ ପର୍ଶୁରାମ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁଦ୍ଧକାଳୀନ ଭିତ୍ତିରେ କାଟଗଡା, ବନ୍ଦୀଗୃହ, କୋର୍ଟ ପରିସର ଆଦି ନିର୍ମାଣ କରାଯାଇଥିଲା। ହେଲେ ୨୦୨୩ ଫେବୃଆରୀ ୨୭ରୁ ଏହି ଅସ୍ଥାୟୀ କୋର୍ଟ ଅଧିକାରୀଙ୍କ ଉନ୍ମୋଚନକୁ ଅପେକ୍ଷା କରି ରହିଥିଲେ ହେଁ କୋର୍ଟ ଖୋଲାଯିବା ପ୍ରକ୍ରିୟା ଅନିଶ୍ଚିତତା ଦେଇ ଗତି କରୁଛି। ଖଇରା ଲୋକେ ପୂର୍ବଭଳି ଖର୍ଚ୍ଚାନ୍ତ ହୋଇ ସୋର ଓ ବାଲେଶ୍ୱର ଦୌଡି ନୟାନ୍ତ ହେଉଛନ୍ତି। ଖୁବ୍‌ଶୀଘ୍ର ଆଗାମୀ କାର୍ଯପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସାମାଜିକ କର୍ମୀ ଅଭିରାମ ମହାପାତ୍ର, ଗଦାଧର ବାରିକ ଓ ଶଙ୍କର୍ଷଣ ପରିଡା ପ୍ରମୁଖ ପ୍ରକାଶ କରିଛନ୍ତି।