କାର୍ଯ୍ୟକ୍ଷମ ହେଉନି ପାନୀୟ ଜଳ ପ୍ରକଳ୍ପ

ନରାଜ,୧୨।୧୦(ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ବ୍ଲକ ବେଲଗଛିଆ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ବହୁ ବର୍ଷ ଧରି ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ୨୦୦୫ରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହା ଜରିଆରେ ଜୟପୁର ଓ ଗୋଠପୁର ଗ୍ରାମର ୩ ହଜାର ଗ୍ରାମବାସୀଙ୍କୁ ପାଇପ୍‌ ଜରିଆରେ ପାନୀୟ ଜଳ ଯୋଗାଇଦେବା ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର ନିର୍ମାଣ ହେବାର ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ଉଭୟ ଗ୍ରାମବାସୀଙ୍କୁ ଏପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ। ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ବୋରିଂ, ପମ୍ଫ ଘର, ବିଦ୍ୟୁତ ଓ ପାଇପଲାଇନ କାମ ସରିଥିଲେ ମଧ୍ୟ ଉଭୟ ଗ୍ରାମବାସୀଙ୍କ କାର୍ଯ୍ୟରେ ଲାଗୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏତେବର୍ଷ ଧରି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇ ନଥିବାରୁ ବହୁ ଯନ୍ତ୍ରପାତି ଚୋରି ହୋଇଯାଇଥିବା ବେଳେ ବୋରିଂ ପାଇପ୍‌ କୌଣସି କାରଣରୁ ପୋଡ଼ିି ନଷ୍ଟ ହୋଇଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ପାଇଁ ତିଆରି ହୋଇଥିବା ଗୃହ ଚାରିପାଖେ ଅନାବନା ଗଛ ଉଠି ଭୂତକୋଠିରେ ପରିଣତ ହୋଇଯାଇଛି। ଅପରପକ୍ଷେ ପ୍ରକଳ୍ପ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ଦରମା ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀ ଓ ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।
ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ କହିଛନ୍ତି, ଅଭିଯୋଗ ପାଇବା ପରେ ସେଠାକୁ ଯାଇ ତଦନ୍ତ କରିଛନ୍ତି। ମାତ୍ର ବହୁଦିନ ଧରି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଯନ୍ତ୍ରପାତିଗୁଡିକ ନଷ୍ଟ ହୋଇଯାଇଛି। ଏହାକୁ ମରାମତି କରାଗଲେ ଏକ ନୂଆ ପ୍ରକଳ୍ପର ଖର୍ଚ୍ଚ ସହ ସମାନ ହୋଇଯିବ। ଏ ସମ୍ପର୍କରେ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ନୂତନ ଯୋଜନା ଆସିଲେ ଏନେଇ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେଠୀ କହିଛନ୍ତି।

Share