କୋକସରା,୧୬ା୩(ଡି.ଏନ୍.ଏ.): କୋରାପୁଟ ଅଞ୍ଚଳରୁ କଳାହାଣ୍ଡି ପଟେ ଆସୁଥିବା ଏକ ବୋଲେରୋ ନମ୍ବର ଓ ୦୮ ସି ୪୨୮୪ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ାଉ କରିଥିଲେ। ଏହି ସମୟରେ ଅବକାରୀ ବିଭାଗ ପାଟ୍ରୋଲିଂ ସ୍କ୍ବାର୍ଡକୁ ଦେଖି ଗାଡ଼ିରେ ଥିବା ଡ୍ରାଇଭର ସମେତ ଅନ୍ୟମାନେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ଅବକାରୀ ବିଭାଗ କର୍ମଚାରୀ ସେମାନଙ୍କୁ ପିଛା କରିଥିଲେ ସୁଦ୍ଧା ଜଙ୍ଗଲ ରାସ୍ତା ଦେଇ ଫେରାର ମାରିବାରେ ସଫଳ ହୋଇଥିଲେ। ତେବେ ବୋଲେରୋରେ ଥିବା ଗଞ୍ଜେଇକୁ ଜବତ କରିଥିଲା ଅବକାରୀ ବିଭାଗ। ଜବତ ଗଞ୍ଜେଇ ୩ କ୍ୱିଣ୍ଟାଲ ୨୦ କେଜି ୬୫୦ ଗ୍ରାମ ଥିବାବେଳେ ବଜାରରେ ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଳି ସୂଚନା ମିଳିଛି। ତେବେ ଜବତ ବୋଲେରୋ କାହାର ଓ ଏହି ଚୋରା ଚାଲାଣ ଘଟଣାର ମାଷ୍ଟରମାଇଣ୍ଡ କିଏ ତାହା ସ୍ପଷ୍ଟ କରି ନାହିଁ ଅବକାରୀ ବିଭାଗ । ତଦନ୍ତ ପରେ ଜଣାପଡ଼ିବ ବୋଲି କଳାହାଣ୍ଡି ଜିଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି।