୬ ବର୍ଷ ହେଲା ମିଳିନି ଦରମା, ଆମରଣ ଅନଶନରେ ବସିଲେ ପମ୍ପ୍‌ ଡ୍ରାଇଭର

ସିମୁଳିଆ,୨୧ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ଜଳ ଯୋଗାଣ କର୍ମଚାରୀ(ପମ୍ପ ଡ୍ରାଇଭର)ମାନଙ୍କୁ ଗତ ୬ବର୍ଷ ହେଲା ଦରମା ମିଳିନାହିଁ ା ଏହାକୁ କେନ୍ଦ୍ରକରି ସିମୁଳିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ୧୬ ଜଣ ପମ୍ପ ଡ୍ରାଇଭର ବୁଧବାର ପୂର୍ବାହ୍ନରୁ ସପରିବାର ବ୍ଲକ କାର୍ଯ୍ୟାଳୟ ଫାଟକ ନିକଟରେ ଆମରଣ ଅନଶନରେ ବସିଛନ୍ତି ା ଏଥର ପ୍ରତିଶ୍ରୁତି ନୁହେଁ ପୂର୍ଣ୍ଣ ଦରମା ନ ମିଳିଲେ ଅନଶନ ଚାଲୁ ରହିବ ବୋଲି ପମ୍ପ ଡ୍ରାଇଭର ସଂଘର ସଭାପତି ହରେକୃଷ୍ଣ ଦାସ ଓ ସମ୍ପାଦକ ବିବେକାନନ୍ଦ ବିଶ୍ୱାଳ ସୂଚନା ଦେଇଛନ୍ତି ା
ପ୍ରକାଶ ଯେ, ଗତ୧୭.୯.୨୦୦୯ରୁ ୧୬ ଜଣ ପମ୍ପ ଡ୍ରାଇଭର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରତିଷ୍ଠିତ ଉଠା ଜଳସେଚନ ବିଭାଗରେ କାର୍ଯ୍ୟ କରି ଆସୁଥିଲେ। ଗତ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ସେମାନଙ୍କୁ ଦରମା ମିଳିଥିଲା ା ତେବେ ଗତ ୨୦୧୫ ପରଠାରୁ ବ୍ଲକ କର୍ତ୍ତୃପକ୍ଷ ସେମାନଙ୍କୁ କୌଣସି ଦରମା ପ୍ରଦାନ ନ କରି କେବଳ ପ୍ରତିଶ୍ରୁତି ଦେଇଆସୁଥିଲେ ା ଏହାକୁ କେନ୍ଦ୍ରକରି ଗତ ୫.୪.୨୧ରେ ବ୍ଲକ ଫାଟକ ନିକଟରେ ଏହି ପମ୍ପ୍‌ ଡ୍ରାଇଭରମାନେ ଅନଶନରେ ବସିଥିଲେ। ପରେ ପର୍ଯ୍ୟଟନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଫୋନ୍‌ ଯୋଗେ ଅନଶନକାରୀମାନଙ୍କ ସହିତ କଥା ହେବା ସହିତ ବ୍ଲକ ଅଧ୍ୟକ୍ଷା ଧରିତ୍ରୀ ମହାରଣାଙ୍କ ପ୍ରତିନିଧି ଧେଇମନ ମହାରଣା ଓ ବିଡିଓ ସୁଧୀର ସିଂ ଅନଶନକାରୀଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ ା ୧ ମାସ ମଧ୍ୟରେ ଏହାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ଅନଶନକାରୀମାନେ ଅନଶନରୁ ଓହରିଥିଲେ ା ଅପରପକ୍ଷେ ଡ୍ରାଇଭର ସଂଘ ପକ୍ଷରୁ ମାନ୍ୟବର ହାଇକୋର୍ଟରେ ଦରମା ନ ମିଳିବା ସମ୍ପର୍କରେ ମାମଲା ପରିଚାଳିତ ହେବା ପରେ ଗତ ୧୪.୯.୨୦୨୦ରେ ଡବ୍ଲ୍ୟୁପି(ସି) ୨୩୭୪୧ ଅନୁଯାୟୀ ଏହି ଡ୍ରାଇଭରମାନଙ୍କୁ ଦରମା ଦିଆଯିବା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଅଦ୍ୟାବଧି ଏହା ସେମାନଙ୍କୁ ମିଳିନାହିଁ।