ମାଲିକଙ୍କ ସହ ବିଶ୍ୱାସ ଘାତକ କରି ବନ୍ଧାହେଲେ ଡ୍ରାଇଭର

ଚୌଦାର,୭।୧(ଡି.ଏନ୍‌.ଏ): ବିଶ୍ୱାସ ଘାତକ ସାଜିଲେ ଡ୍ରାଇଭର । ମାଲିକଙ୍କ ବିଶ୍ୱାସରେ ବିଷ ଦେଇ କଲେ ଲୁଟ୍‌ । ଶେଷରେ ଧରା ପଡ଼ି ଗଲେ ଜେଲ । ଏଭଳି ଘଟଣା ଘଟିଛି କଟକ ଜିଲା ଚୌଦ୍ୱାର ଥାନା ନୂଆପାଟଣା ମଧୁସୂଦନ ସେତୁ ନିକଟରେ ।
ସୂଚନାଯୋଗ୍ୟ, କଟକ ସିଡିଏରେ ରହୁଥିବା ବିଭୂତି ଭୂଷଣ ସାହୁଙ୍କର ଏକ ପେଟ୍ରୋଲ ପମ୍ପ ଚୌଦ୍ୱାର ନୂଆପାଟଣା ନିକଟରେ ଅଛି । ବିଭୂତିଙ୍କ ହଠାତ କୌଣସି କାରଣରୁ ଟଙ୍କା ଦରକାର ହେବାରୁ ସେ ଗତ ୫ତାରିଖ ରାତି ୯ଟା ସମୟରେ ତାଙ୍କ କାର ଦେଇ ଡ୍ରାଇଭରକୁ ଟଙ୍କା ଆଣିବା ପାଇଁ ପେଟ୍ରୋଲ ପମ୍ପ ପଠାଇଥିଲେ । ମାତ୍ର ଡ୍ରାଇଭର ଘରକୁ ଫେରିବା ବିଳମ୍ବ ହେବାରୁ ବିଭୂତି ପମ୍ପ ମ୍ୟାନେଜର ସହିତ ଯୋଗାଯୋଗ କରିଥିଲେ ତେବେ ଟଙ୍କା ନେଇ ଡ୍ରାଇଭର ପ୍ରାୟ ୨ଘଣ୍ଟା ହେବ ଗଲାଣି ବୋଲି ମ୍ୟାନେଜର କହିଥିଲେ । ପରେ ମାଲିକଙ୍କ ସନ୍ଦେହ ହେବାରୁ ସେ ଆସି ଦେଖିଲେ ନୂଆପାଟଣା ବ୍ରିଜ ଉପରେ ତାଙ୍କ ଗାଡ଼ି ଅଛି ଓ ଡ୍ରାଇଭର ମଧ୍ୟ ଅଛନ୍ତି। ଡ୍ରାଇଭର କାନ୍ଦିବା ସହିତ ଗାଡ଼ି କାଚ ଭାଙ୍ଗି ୪ଜଣ ଲୁଟେରା ଟଙ୍କା ନେଇ ଯାଇଥିବା କହିଥିଲେ। ମାଲିକ ଗାଡ଼ି ଡ୍ରାଇଭରଙ୍କୁ ସାଥିରେ ଧରି ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଚୌଦ୍ୱାର ପୋଲିସ ସ୍ପେଶିଆଲ ସ୍କ୍ବାଡ୍‌ ଘଟଣାର ତଦନ୍ତ କରୁଥଇଲେ। ଡ୍ରାଇଭର ଉପରେ ସନ୍ଦେହ ହେବାରୁ ପୋଲିସ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେ ସତ ମାନିଯାଇଥିଲେ। ଟଙ୍କା ସେ ଏକ ବୁଦା ମୂଳରେ ଲୁଚାଇ ରଖି ଏପରି ନାଟକ କରିଥିବା ଜଣା ପଡ଼ିଥିଲା । ପୋଲିସ ତାଙ୍କୁ ଘଟଣାସ୍ଥଳକୁ ନେଇଥିଲେ। ସେ ବୁଦା ଭିତରେ ଲୁଚାଇ ରଖିଥିବା ଟଙ୍କା ବାହାର କରି ପୋଲିସକୁ ଦେଇଥିଲେ। ଏନେଇ ପୋଲିସ ଡ୍ରାଇଭର କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share