ଗାଡ଼ି ସହ ଜଳିଗଲେ ଚାଳକ

ଜମନକିରା,୨୬।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଢେଇସରା ପେଟ୍ରୋଲ ପମ୍ପ ବୁଲାଣିରେ ବୁଧବାର  ଦୁର୍ଘଟଣା ଘଟିଛି। ଏକ ଲୁହା ପଥର ବୋଝଇ ଟ୍ରକ (ରେଜିଷ୍ଟେଶନ ନଂ ଓଡି ୩୫ଏଫ୍‌ ୯୭୨୩) ସହ ଅନ୍ୟ ଏକ ସଫଳ ବୋଝେଇ ଟାଟା ମିନି ଟ୍ରକ୍‌ (ରେଜିଷ୍ଟେଶନ ନଂ ଓଡି ୧୫ ଟି ୩୦୭୯)  ମୁହାଁମୁହିଁ ଧକ୍କା ହୋଇଛି । ଲୁହା ବୋଝେଇ ଟ୍ରକ୍‌ଟି ଜମନକିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ମିନିଟ୍ରକଟି ସମ୍ବଲପୁରରୁ ଲହୁଣୀପଡ଼ା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଧକ୍କା ଫଳରେ ଗାଡିରେ ନିଆଁ ଲାଗିଯିବାରୁ ମିନି ଟ୍ରକରେ ଫସି ରହିଥିବା ଗାଡି ଚାଳକ ଗାଡ଼ିରେ ହିଁ ଜୀବନ୍ତଦଗ୍ଧ ହୋଇଛନ୍ତି। ଗୌଡ଼ପାଲି ପୋଲିସ  ପହଞ୍ଚି ହେଲ୍ପରଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ପଠାଇଛି।
ସେହିପରି ଲୁହାପଥର ବୋଝେଇ ଟ୍ରକ୍‌ ଚାଳକ ଓ ହେଲ୍ପର ଘଟଣାସ୍ଥଳରୁ ଫେରାରଥିବା ସୂଚନା ମିଳିଛି। ଜମନକିରା ଓ ସମ୍ବଲପୁର ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡ଼ାକ୍ତରଖାନାରେକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।