ଟ୍ରକ୍‌ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚାଳକ ଉଦ୍ଧାର

ଛେଣ୍ଡିପଦା,୧୦ା୧୧(ସ୍ବ.ପ୍ର.): ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ଗ୍ରାମ ଅରୁଣ ଶହୀଦ ସ୍ତମ୍ଭ ନକଟରେ ଥିବା ଏକ ଟ୍ରକ୍‌ ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରାଯାଇଛି। ସମ୍ପକ୍ତ ଚାଳକ ହେଲେ କଟକ ଜିଲା ବଡମ୍ବା କ୍ରିଷ୍ଣପୁର ଅଞ୍ଚଳର ଉମେଶ ସିଂଙ୍କ ପୁତ୍ର ଚନ୍ଦନ ସିଂ(୨୧)। କୋଶଳା ଡ୍ରାଇଭର ସଂଘ ପକ୍ଷରୁ ଚାଳକଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

ଟ୍ରକ୍‌ ଚାଳକଙ୍କ କହିବା ମୁତାବକ, କଟକ ଅଞ୍ଚଳର ଉକ୍ତ ଟ୍ରକ୍‌ (ନଂ. ଓଡି୦୫ଭି- ୧୩୯୭) କଟକ ବୋର୍ଡ ଅଫିସରୁ ପ୍ରଶ୍ନପତ୍ର ନେଇ ସମ୍ବଲପୁର ଯାଇଥିଲା। ସେଠାରୁ ରସୁଣ ବୋଝେଇ କରି କଟକ ଅଭିମୁଖେ ଫେରୁଥିବାବେଳେ ରିଆମାଳ ଅଞ୍ଚଳରୁ ୨ଜଣ ଯୁବକ ଟ୍ରକ୍‌ରେ ଆସିଥିଲେ। ପରେ ଅନ୍ୟ ୨ ଯୁବକ ଟ୍ରକ୍‌ରେ ଚଢ଼ିଥିଲେ। ଏହାପରେ ସମ୍ପୃକ୍ତ ୪ ଯୁବକ ମିଶି ଚାଳକ ଚନ୍ଦନଙ୍କୁ ମାରପିଟ କରି ୬ହଜାର ଟଙ୍କା ଲୁଟି ନେବା ସହ ହାତ, ଗୋଡ ଓ ମୁହଁ ଗାମୁଛାରେ ବାନ୍ଧି ଦେଇଥିଲେ। ତେବେ ତେଲ ସରିଯିବାରୁ ଗାଡ଼ିକୁ ଛେଣ୍ଡିପଦା କୋଶଳା ଗ୍ରାମ ମୁଣ୍ଡରେ ରଖି ସେମାନେ ଫେରାର ହୋଇଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ଏକ କୋଇଲା ବୋଝେଇ ଗାଡି ଚାଳକ ରସୁଣ ବୋଝେଇ ଟ୍ରକ୍‌ ନିକଟକୁ ଆସିବା ସହ ଚାଳକଙ୍କୁ ଏପରି ଅବସ୍ଥାରେ ଦେଖି କୋଶଳା ଡ୍ରାଇଭର ସଂଘକୁ ଖବର ଦେଇଥିଲେ। ସଂଘ କର୍ମକର୍ତ୍ତାମାନେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଛେଣ୍ଡିପଦା ଥାନା ପୋଲିସ ରସୁଣ ବୋଝେଇ ଟ୍ରକ୍‌କୁ ଜବତ କରିବା ସହ ଚାଳକଙ୍କୁ ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ଉକ୍ତ ଟ୍ରକ୍‌ ନିଖୋଜ ଥିବାନେଇ ମାଲିକ ପ୍ରଶାନ୍ତ କୁମାର ପାଣି କଟକ ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।