ଡ୍ରୋନ କ୍ୟାମେରାରେ ହେବ ଲୁଟ୍‌ର ଆକଳନ

ଚଣ୍ଡିଖୋଲ,୨ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରେ ବେଆଇନ ଲୁଟ୍‌ ଘଟଣାକୁ ନେଇ ଡେରିରେ ପ୍ରଶାସନର ଚେତା ପଶିଛି। ସରକାରୀ ଭାବେ ଅନୁମୋଦିତ ଲିଜ୍‌ ଏରିଆ ବାହାରୁ ବିପୁଳ ଟଙ୍କାର ଲଘୁ ଖଣିଜ ଲୁଟ ହୋଇଥିବା ଜଣାପଡ଼ିବା ପରେ ତହସିଲ ଓ ଖଣି ବିଭାଗ କର୍ମଚାରୀ ଆସି ତଦନ୍ତ କରିଥିଲେ। ତେବେ ପାହାଡ଼ରେ ମାପଚୁପ କରି କେତେ ପରିମାଣର ମୋରମ, ବୋଲଡର ଲୁଟ୍‌ ହୋଇଛି ତାହାର ଆକଳନ ସମ୍ଭବ ନ ହେବାରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ସର୍ବେକ୍ଷଣ କରାଯିବାକୁ ସ୍ଥିର କରାଯାଇଛି। ଡ୍ରୋନ ଦ୍ୱାରା ଆକଳନ ପାଇଁ ତହସିଲ ପକ୍ଷରୁ ବିଭିନ୍ନ ସଂସ୍ଥାଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଅନ୍ୟପକ୍ଷରେ ଏହି ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ପାହାଡ଼ର ବିଭିନ୍ନ ସ୍ଥାନରୁ ବେଧଡ଼କ ଲଘୁ ଖଣିଜ କିଛି ବର୍ଷ ହେବ ଲୁଟ ଚାଲିଛି। ଦୈନିକ ଶହେରୁ ଊଦ୍ଧର୍‌ବ ଟ୍ରକ ଯୋଗେ ମୋରମ ଓ ବୋଲଡର ଲୁଟ୍‌ ହେଉଛି। ହେଲେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଜୁଲାଇ ୩ ତାରିଖରେ ଦର୍ପଣ ତହସିଲ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଏଠାରେ ଚଢ଼ାଉ କରି ୬ ଟ୍ରକ୍‌ ଓ ଗୋଟିଏ ଜେସିବି ମେଶିନ ଜବତ କରିବାପରେ ପ୍ରଶାସନ ଲୁଟ ହୋଇଥିବା ଲଘୁ ଖଣିଜ ଆକଳନ କରିବାକୁ ଅଣ୍ଟା ଭିଡିଛି। ତେବେ ଦୀର୍ଘଦିନ ହେବ ଲୁଟ ଚାଲିଥିବାବେଳେ କେଉଁ ଆଧାରରେ ଡ୍ରୋନ ଦ୍ୱାରା ସର୍ବେକ୍ଷଣ କରି ପରିମାଣସ୍ଥିର କରାଯିବ ତାହା ମଧ୍ୟ ଏକ ବଡ଼ପ୍ରଶ୍ନ। ଅପରପକ୍ଷରେ ଲିଜ ସୂତ୍ରରେ ଦିଆଯାଇଥିବାସ୍ଥାନରୁ କିଛି ମିଟର ଦୂରରେ ଏଭଳି ଲୁଟ ଚାଲିଥିଲେ ମଧ୍ୟ କାହିଁକି କାହାରି ପ୍ରତିବାଦ ନ ଥିଲା।
ଏହି ଖାଦାନକୁ ୨୦୨୧ରେ ପରିବେଶ ମଞ୍ଜୁରୀ ମିଳିବା ଓ ପରିବେଶ ମଞ୍ଜୁରୀ ହସ୍ତାନ୍ତର ସମୟରେ ଲିଜ ଏରିଆ ୧୨ ଏକର ପରିମିତ ସ୍ଥାନରେ ପ୍ରତି ଚାରିଫୁଟ ଅନ୍ତରରେ ଏକ ମିଟର ଲମ୍ବ ଲେଖାଏ ସିମେଣ୍ଟ ଖୁଣ୍ଟ ପୋତି ଲିଜ ଏରିଆ ଚିହ୍ନଟ କରାଯିବା କଥା। ମାତ୍ର ଆଜି ଯାଏ ଲିଜ ଏରିଆ ଚିହ୍ନଟ ହୋଇପାରିନାହିଁ କି ଖୁଣ୍ଟନାହିଁ। ଦୁଇବର୍ଷ ହେବ ଖନନ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଆଜି ଯାଏ ତହସିଲ ପକ୍ଷରୁ ଲିଜ ସ୍ଥାନ କେତେ ତାହା ଚିହ୍ନଟ ହୋଇପାରୁନାହିଁ। ଜୁଲାଇ ୩ରେ ଚଢ଼ାଉ ସମୟରେ ଲିଜ ଏରିଆ ବାହାରୁ ହଜାରହଜାର ଘନ ମିଟର ମୋରମ ଲୁଟ ହୋଇଥିବା ଜଣାପଡିଥିଲା। ଏନେଇ ଦର୍ପଣ ତହସିଲଦାର ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣା ପରେ ତହସିଲ ଓ ଖଣି ବିଭାଗ ଅଧିକାରୀ ମିଳିତ ଭାବେ ଲୁଟ ହୋଇଥିବା ଖଣିଜ ପରିମାଣ ଆକଳନ ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ମାତ୍ର ପାହାଡ଼ର ଉଚ୍ଚାନିଚା ସ୍ଥାନରେ ମାପଚୁପ ଦ୍ୱାରା ଲୁଟ ପରିମାଣ ସ୍ଥିର ହୋଇପାରି ନ ଥିଲା। ଯାହା ପାଇଁ ଡ୍ରୋନ ସାହାଯ୍ୟରେ ଲୁଟ୍‌ ପରିମାଣ ଆକଳନ କରାଯିବ ବୋଲି ସ୍ଥିର କରାଯାଇଛି। ତେବେ ଲିଜ ହୋଇଥିବା ଖାଦାନରୁ କେତେ ପରିମାଣର ଉତ୍ତୋଳନ ହେଉଛି। ପ୍ରତିମାସରେ ସ୍ଥାନୀୟ ବାଲିଚନ୍ଦ୍ରପୁର ରାଜସ୍ବ ନିରୀକ୍ଷକ ତାହାର ମାପଚୁପ କରି ତହସିଲ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଥାନ୍ତି। ତଦାରଖ ସମୟରେ ଲିଜ ଏରିଆ ବାହାରେ ଏତେ ପରିମାଣର ମୋରମ ବୋଲଡର ବେଆଇନ ଭାବେ ଲୁଟ ହେଉଥିବା ରାଜସ୍ବ ନିରୀକ୍ଷକ କିପରି ଜାଣି ପାରିଲେନାହିଁ। କୌଣସି ମାସରେ ରାଜସ୍ବ ନିରୀକ୍ଷକ ଏନେଇ ଅଭିଯୋଗ ମଧ୍ୟ କରିନାହାନ୍ତି। ଦୈନଦିନ ପାହାଡ଼ରୁ ଶହଶହ ସଂଖ୍ୟାରେ ମୋରମ ବୋଝେଇ ଟ୍ରକ୍‌ ବିଭିନ୍ନସ୍ଥାନକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ, ତହସିଲ ବନବିଭାଗ ଓ ଖଣି ବିଭାଗ କେବେ କାର୍ଯ୍ୟାନୁଷ୍ଠାନ ନେବାର ନଜିର ମଧ୍ୟ ନାହିଁ। ଏପରିସ୍ଥଳେ ଦୀର୍ଘ ବର୍ଷ ଧରି ବେଆଇନ ଖାଦାନ ଚାଲୁଥିବାବେଳେ କେଉଁ ଆଧାରରେ ଡ୍ରୋନ ଦ୍ୱାରା ସର୍ବେକ୍ଷଣ କରି ଲୁଟ ପରିମାଣ ସ୍ଥିର କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଡ୍ରୋନ ସାହାଯ୍ୟରେ ମାପ ଚୁପ କରାଯିବ।