ଦିବ୍ୟାଙ୍ଗଙ୍କ ନିକଟରେ ଭତ୍ତା ପହଞ୍ଚାଇଲା ଡ୍ରୋନ୍‌

ନୂଆପଡ଼ା ଅଫିସ,୧୮ା୨: ନୂଆପଡ଼ା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତରେ ଡ୍ରୋନ୍‌ ସାହାଯ୍ୟରେ ଦିବ୍ୟାଙ୍ଗଙ୍କ ନିକଟରେ ପହଞ୍ଚିଛି ଭତ୍ତା ଟଙ୍କା। ଜିଲାରେ ପ୍ରଥମ କରି ଡ୍ରୋନ୍‌ ଯୋଗେ ହିତାଧିକାରୀଙ୍କ ନିକଟକୁ ଭତ୍ତା ଟଙ୍କା ପଠାଇ ଇତିହାସ ସୃଷ୍ଟି କରିଛନ୍ତି ଭାଲେଶ୍ୱର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସରୋଜ ଦେବୀ ଅଗ୍ରଓ୍ବାଲ।

ସୂଚନାନୁଯାୟୀ, ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ଭାଲେଶ୍ୱର ପଞ୍ଚାୟତରୁ ୨ କିଲୋମିଟର ଦୂର ୫ ନଂ ଓ୍ବାର୍ଡ ଭୂତକାପଡ଼ା ଗାଁ ଘଞ୍ଚ ଜଙ୍ଗଲ ଭିତରେ ରହିଛି। ହେତରାମ ସତନାମୀ ଦିବ୍ୟାଙ୍ଗ ହୋଇ ମଧ୍ୟ ଭତ୍ତା ପାଉ ନ ଥିଲେ। ସରପଞ୍ଚ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା କରିଦେଇ ପଞ୍ଚାୟତକୁ ଆସିପାରୁ ନ ଥିବାରୁ ସରପଞ୍ଚ ନୂତନ ବୈଷୟିକ ଜ୍ଞାନକୌଶଳରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା ଟଙ୍କା ପଠାଇଛନ୍ତି। ଏହି ଜଣେ ଦିବ୍ୟାଙ୍ଗ ନୁହନ୍ତି, ପଞ୍ଚାୟତରେ ଥିବା ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା କରାଯାଇ ଆଗାମୀ ଦିନରେ ମଧ୍ୟ ଡ୍ରୋନ୍‌ ଯୋଗେ ଭତ୍ତା ଟଙ୍କା ପଠାଯିବ। ପଞ୍ଚାୟତକୁ ଆସିବାକୁ ପଡ଼ିବ ନାହିଁ ବୋଲି ସରପଞ୍ଚ କହିଛନ୍ତି। ଡ୍ରୋନ୍‌ ଯୋଗେ ଭତ୍ତା ଟଙ୍କା ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିବାରୁ ଖୁସି ବ୍ୟକ୍ତ କରି ସରପଞ୍ଚଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହିପରି ମହତ କାର୍ଯ୍ୟ କରିଥିବାରୁ ସରପଞ୍ଚଙ୍କୁ ଜିଲାରେ ଚର୍ଚ୍ଚା କରିବା ସହ ପ୍ରଶଂସା କରାଯାଉଛି।

Share