ଢେଙ୍କାନାଳ ଅଫିସ,୧୦।୯: ସବୁଜ ବିକଳ୍ପ ପାଇଁ ପ୍ରୟାସ ଜାରି ରଖିଥିବା ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ବନୀକରଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଉନ୍ନତ ଜ୍ଞାନକୌଶଳ। ଜଙ୍ଗଲ ଅବକ୍ଷୟ ହୋଇଥିବା ଦୁର୍ଗମ ସ୍ଥାନରେ ସେ ଡ୍ରୋନ୍ ସହାୟତାରେ ବୁଣୁଛନ୍ତି ସିଡ୍ବଲ୍ (ମଞ୍ଜିଗୋଳା)। ଖୋର୍ଦ୍ଧା ଜିଲାର ବରୁଣେଇ, ଭୁବନେଶ୍ୱରର ଚନ୍ଦକା, ଢେଙ୍କାନାଳ ଜିଲାର କପିଳାସ ଓ ସପ୍ତଶଯ୍ୟା ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସେ ଏଭଳି ଅଭିନବ ପନ୍ଥା ଆପଣାଇଛନ୍ତି। ଏଥିସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କର୍ମଶାଳା ମାଧ୍ୟମରେ ସିଡ୍ବଲ୍ ତିଆରି କୌଶଳ ଏବଂ ଏହାର ବ୍ୟବହାର ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି। ଅଦ୍ୟାବଧି ସେ ୧ ଲକ୍ଷ ସିଡ୍ବଲ ତିଆରି କରି ସାରିଥିବା ସୂଚନା ଦେଇଛନ୍ତି। ପରିବେଶ ସୁରକ୍ଷା ଅଭିଯାନରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜାତିସଂଘ ପକ୍ଷରୁ ପୁରସ୍କାର ମଧ୍ୟ ମିଳିଛି।