ପୁଣ୍ୟ ପୁରୁଷଙ୍କ ପୃଥିବୀ

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ

ପୃଥିବୀ ବୋଇଲେ ତ ଗୋଟିଏ। ପାପ ପୁଣ୍ୟ, ସତ୍ୟ ଅସତ୍ୟ, ହସ କାନ୍ଦ, ଅଭାବ ଐଶ୍ୱର୍ଯ୍ୟ ବା ରାମ ରାବଣ କି ଯୁଧିଷ୍ଠିର ଦୁର୍ଯ୍ୟୋଧନ ପ୍ରମୁଖ ପରସ୍ପର ବିପରୀତମୁଖୀ ଚିତ୍ର ଓ ଚରିତ୍ରମାନେ ମିଳିମିଶି ଯେଉଁଠି ନିଜ ନିଜର ଅସ୍ତିତ୍ୱ ପ୍ରକଟ କରନ୍ତି, ସେଇ ବିଚିତ୍ର ସ୍ଥାନର ନାମ ପୃଥିବୀ। ସୁତରାଂ, ପୃଥିବୀକୁ ପାପ ପୁଣ୍ୟ ମଧ୍ୟରେ ବାଣ୍ଟିବା ଯେତିକି ଅସମ୍ଭବ, ରାମ ରାବଣଙ୍କ ମଧ୍ୟରେ ଭାଗ କରିବା ସେତିକି ଅବାସ୍ତବ। ତଥାପି କୌଶଳୀ କୌରବଙ୍କ କୂଟନୀତିରେ ପାଣ୍ଡବମାନେ ସ୍ଥାନଚ୍ୟୁତ ହେଲା ପରି ଏ ପୃଥିବୀରେ ପାପ ପୁରୁଷମାନଙ୍କ ପରାକ୍ରମ ଓ ପ୍ରତିପତ୍ତିରେ ପୁଣ୍ୟ ପୁରୁଷମାନେ ନିଜ ନିଜର ସ୍ଥାନ ହରାଇ ବସନ୍ତି। କଁା ଭଁା ଆତଯାତ ହେଉଥିବା ଏଇ ପୁଣ୍ୟ ପୁରୁଷମାନଙ୍କ ସଂଖ୍ୟା ଆହୁରି କମି କମି ଯାଏ। ସେମାନଙ୍କ ପୃଥିବୀ ସଂକୁଚିତ ହୋଇ ଆସୁଥାଏ ବାରମ୍ବାର। ଅସତ୍ୟ ଅନାଚାରର କୋଳାହଳ ମଧ୍ୟରେ ନିଃଶବ୍ଦରେ ମିଳାଇଯାଏ ପୁଣ୍ୟ ପୁରୁଷଙ୍କ ଅସହାୟତାର ଦୀର୍ଘଶ୍ୱାସ। ସେମାନେ ନିଜ ନିଜକୁ ପ୍ରତିପକ୍ଷଙ୍କ ପାଖରେ ସମର୍ପଣ କରିଦିଅନ୍ତି ଓ ନୀରବରେ ଦୃଶ୍ୟପଟରୁ ଅପସରି ଯାଆନ୍ତି। ସେମାନେ ଚାଲିଗଲା ପରେ ହିଁ ସେମାନଙ୍କ ମହତ୍ତ୍ୱ ପ୍ରସ୍ଫୁଟିତ ହୁଏ। ପୃଥିବୀ ପୁଣ୍ୟରେ ଆତଯାତ ହୁଏ କି ପାପରେ, ତାହା ବି ପ୍ରମାଣିତ ହୋଇଯାଏ। ଏ ପ୍ରସଙ୍ଗରେ କାହାଣୀଟିଏ।
ଏକ ଅଶୁଭ ଅପରାହ୍ନରେ ପ୍ରବଳ ବର୍ଷା ବିତ୍ପାତରୁ ରକ୍ଷା ପାଇବା ପାଇଁ ଗୋଟିଏ ଗାଁ ମୁଣ୍ଡରେ ଥିବା ଚଟିଘରେ ଆଶ୍ରୟ ନେଇଥାଏ ବିଧବା ବୁଢ଼ୀ ଜଣେ ଓ ତା’ର ଦଶବର୍ଷର ନାତିଟିଏ। ଚାରିଆଡ଼ୁ ଗୋବର ଗୋଟାଇ ତହିଁରେ ଘଷି ତିଆରି କରି ଗଁାକୁ ଗାଁ ବୁଲି ବିକିବାକୁ ଯାଏ ବୁଢ଼ୀ। ପୁଅବୋହୂ ଦୁହେଁ ଅକାଳରେ ଆରପାରିକୁ ଚାଲିଗଲା ପରେ ଦାରିଦ୍ର୍ୟ ମଧ୍ୟରେ କଅଁଳ ନାତିଟିକୁ ବଞ୍ଚାଇ ରଖିବା ପାଇଁ ସେ ଏହି ବେଉସାକୁ ଆପଣାଇ ନେଇଥାଏ। ଆକାଶରେ କଳାହାଣ୍ଡିଆ ମେଘର ଭୟଙ୍କର ରୂପ ଦେଖି ତରବରରେ ନାତି ସହ ଘରମୁହଁା ହେଉଥିଲା ବେଳେ ଏମିତି ଦୁର୍ଯୋଗରେ ପଡ଼ିଯାଏ ସେଦିନ।
ଆସ୍ତେ ଆସ୍ତେ ସନ୍ଧ୍ୟା ହୋଇ ଆସିଲେ ବି ମୁଷଳଧାରାର ବର୍ଷା ବନ୍ଦ ହେବାର ନଁା ଧରୁ ନ ଥିଲା। ତୁହାକୁ ତୁହା ବଜ୍ରପାତର ବୁକୁଫଟା ଭୈରବ ନାଦରେ ଭୟଭୀତ ହୋଇ ନାତିଟିକୁ କୋଳରେ ଜାକି ଚଟିଘରର ଗୋଟିଏ କୋଣରେ ଚୁପ୍‌ଚାପ୍‌ ବସିଥିଲା ବେଳେ ବୁଢ଼ୀ ଲକ୍ଷ୍ୟ କଲା, ସେଇ ଘରେ ସେ ଏକା ନୁହେଁ, ଆଉ ଚାରିଜଣ ମଧ୍ୟ ଆଶ୍ରୟ ନେଇଛନ୍ତି। ବୁଢ଼ୀ ସେମାନଙ୍କୁ ଚିହ୍ନିଲା। ସେମାନେ ଥିଲେ ସେଇ ଖଣ୍ଡମଣ୍ଡଳର ଶାସକ ମହାପ୍ରତାପୀ ଜମିଦାର, ସେଇ ଅଞ୍ଚଳର ଧନୀ ବେପାରୀ, ପ୍ରତିଦିନ ଡଜନେ ଛେଳି ହାଣୁଥିବା କଂସେଇ ଓ ଜମିଦାରଙ୍କ ଦେହରକ୍ଷୀ ବୋଲାଉଥିବା ଜଣାଶୁଣା ଗୁଣ୍ଡା।
ବର୍ଷା ଓ ବଜ୍ରପାତ ଅବିରତ ଚାଲିଥାଏ। ଚଟିଘର ସାମ୍‌ନାରେ ଥିବା ଗୋଟିଏ ପରିତ୍ୟକ୍ତ କବରଖାନା ଉପରେ ବାରମ୍ବାର ବଜ୍ରପାତ ହେଉଥିବାର ଦେଖି ସମସ୍ତେ ଚକିତ ହୋଇପଡ଼ିଲେ। ଲାଗୁଥିଲା, ସତେ ଯେମିତି ପରବର୍ତ୍ତୀ ବଜ୍ରପାତ ସେଇ ଚଟିଘର ଉପରେ ପଡ଼ିବ ଓ ନିମିଷକେ ଧ୍ୱଂସ ପାଇଯିବେ ସମସ୍ତେ। ସମସ୍ତଙ୍କୁ ଶୁଣାଇ ଜମିଦାର କହିଲେ, ମୋ ପୂର୍ବଜଙ୍କଠୁଁ ଶୁଣିଛି, ଏ ଚଟିଘରେ ଯଦି କୌଣସି ପାପୀର ପାଦ ପଡ଼େ, ତେବେ ଏମିତି ଘଟେ ଅଘଟଣ। ଯେଯାଏଁ ସେ ପାପୀ କବରସ୍ଥାନ ନିକଟକୁ ଯାଇ ନିଜର ପାପ ସ୍ବୀକାର ନ କରେ, ସେଯାଏଁ ଏମିତି ବଜ୍ରପାତ ହୋଇ ଚାଲିଥାଏ। ଆଜି ଆମ ଭିତରେ କେହି ପାପପୁରୁଷ ଥିବାରୁ ଏ ବିତ୍ପାତ ବୋଧହୁଏ ବନ୍ଦ ହେଉନାହିଁ।
ଜମିଦାରଙ୍କ ପାଟିର କଥା ସରିନି, ତାଙ୍କ ଆଜ୍ଞାବହ ଦେହରକ୍ଷୀ ବେପାରୀକୁ ମାରିଲା ଧକ୍କାଟିଏ। ବେପାରୀ ବର୍ଷାରେ ଭିଜିଭିଜି କବର ସ୍ଥାନ ଯାଏ ଗଲା ଓ କେଇ ମୁହୂର୍ତ୍ତ ଗୁଣୁଗୁଣୁ ହୋଇ ନିଜର ପାପ ସ୍ବୀକାର କରି ପୁଣି ଫେରିଆସିଲା ଚଟିଘରକୁ। ବଜ୍ରପାତ କିନ୍ତୁ ବନ୍ଦ ହେଉ ନ ଥିଲା। ପରେ ପରେ ଜମିଦାରଙ୍କ ମୂଲ୍ୟାୟନରେ କ୍ରମାନ୍ବୟତା ରକ୍ଷା କରି କଂସେଇ ଓ ଦେହରକ୍ଷୀ ମଧ୍ୟ କବରଖାନା ନିକଟକୁ ଯାଇ ନିଜ ନିଜର ସ୍ବୀକାରୋକ୍ତି କରି ଆସିଲେ। ତଥାପି ବଜ୍ରପାତ ବନ୍ଦ ନ ହେବାରୁ ଏଥର ଜମିଦାରଙ୍କ ଆଖିପଡ଼ିଲା ବିଧବା ବୁଢ଼ୀ ଉପରେ। କାକୁସ୍ଥ ଭାବେ ତା’ କୋଳରେ ଜାକିଜୁକି ବସିଥିବା ନାତିଟିକୁ ଏକଲା ଛାଡ଼ି ସେ ମଧ୍ୟ ଚାଲିଲା ନିଜ ଜୀବନର ପାପ ସ୍ବୀକାର କରିବା ପାଇଁ। ମାତ୍ର କାହିଁ, ତଥାପି ତ ବଜ୍ରପାତ ବନ୍ଦ ହେଉନାହିଁ! ଏଥର ସମସ୍ତଙ୍କ ଆଖିପଡ଼ିଲା ଖୋଦ୍‌ ଜମିଦାରଙ୍କ ଉପରେ।
ମାତ୍ର ସେ ଯେ ଜମିଦାର! କେହି ନ ପଚାରିଲେ ମଧ୍ୟ ପାପ ପୁରୁଷଙ୍କ ତାଲିକାରେ ତାଙ୍କ ନାମ ନାହିଁ ବୋଲି ସେ ସ୍ପଷ୍ଟ ଜଣାଇଦେଲେ ଓ ବୁଢ଼ୀର ସେଇ ଅପାପବିଦ୍ଧ ନିରୀହ ନାତିଟିର ପରୀକ୍ଷା ନେବା ପାଇଁ ଆଦେଶ ଶୁଣାଇଦେଲେ। ସେଯାଏ ଜଗତକୁ ସମ୍ପୂର୍ଣ୍ଣ ଚିହ୍ନି ନ ଥିବା ଓ ପାପ-ପୁଣ୍ୟର ପୃଥିବୀଠାରୁ ଢେର ଦୂରରେ ଥିବା ସେଇ ସୁକୁମାର ଶିଶୁଟିର ହାତ ଟାଣି ଭିଡ଼ିନେଲା ଦୁର୍ଦ୍ଦାନ୍ତ ଦେହରକ୍ଷୀ ଓ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଚଟିଘର ବାହାରକୁ ଠେଲିଦେଲା। ଆକୁଳ ଚିତ୍କାର କରି ବୁଢ଼ୀ ନିଜ ନାତିର ଅନୁଧାବନ କରି ଚଟିଘରୁ ବାହାରକୁ ବାହାରିଗଲା ମାତ୍ରେ ସର୍ବଶେଷ ବଜ୍ରପାତଟି ସଂଘଟିତ ହେଲା ଓ ନିମିଷକେ ଧ୍ୱଂସ ପାଇଗଲା ପାପ ପରୀକ୍ଷାର ପୀଠ ସେଇ ଚର୍ଚ୍ଚିତ ଚଟିଘରଟି। ପରେ ପରେ ବର୍ଷା ଛାଡ଼ିଗଲା, ବଜ୍ରପାତ ବନ୍ଦ ହୋଇଗଲା ଓ ଏଥିସହିତ ବଜ୍ରାଘାତରେ ଟଳି ପଡ଼ିଥିବା ସେଇ ତଥାକଥିତ ପୁଣ୍ୟ ପୁରୁଷମାନଙ୍କ ଅକାଳ ମୃତ୍ୟୁ ସହ ପାପପୁଣ୍ୟର ପରୀକ୍ଷା ଶେଷ ହେଲା। ଜଣେ ମାତ୍ର ପୁଣ୍ୟ ପୁରୁଷର ପୁଣ୍ୟକୁ ପୁଞ୍ଜି କରି ପାପଗ୍ରସ୍ତ ପୃଥିବୀର ଧ୍ୱଂସ ସାଧନ ଯେ ବିଳମ୍ବିତ ହୋଇପାରେ, ଏ କଥାର ମଧ୍ୟ ପ୍ରମାଣ ମିଳିଗଲା।
କଳ୍ପନାର କାରୁକାର୍ଯ୍ୟ କହି ଏହି ପ୍ରାଚୀନ କାହାଣୀକୁ ସେଇ ସମୟରେ ଏଡ଼ାଇଯିବା ଖୁବ୍‌ ସହଜ, ଯେଉଁ ସମୟରେ ପାପ-ପୁଣ୍ୟ ପ୍ରଭେଦକୁ ସଂସ୍କାରଗତ ମନର ବିକାରବୋଧ ବୋଲି ଆଧୁନିକ ଜନମାନସରେ ବିବେଚିତ କରାଯାଉଛି। ମାତ୍ର ସେକାଳର ଚିତ୍ର ଓ ଚରିତ୍ରଠାରୁ ଏକାଳର ବାସ୍ତବତା କିଛି ଭିନ୍ନ ନୁହେଁ। ଆମ ଆଖି ଦେଖୁଥିବା ଅବା କାନ ଶୁଣୁଥିବା ଏପ୍ରକାର ବହୁ ଦୃଷ୍ଟାନ୍ତ କେବଳ ଗୋଟିଏ ସତ୍ୟକୁ ବାରମ୍ବାର ପ୍ରମାଣ କରୁଛି ଯେ, ସତ୍ୟ ସଦାଚାରର ପରିଭାଷା ସମୟ ଓ ସୁବିଧା ଦେଖି ତାହାର ରୂପ ବଦଳାଇ ଚାଲିଛି ଓ ଆଲୋକ ଅନ୍ତରାଳର କଳାଛାୟା ପରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆସୁନାହିଁ।
ପ୍ରାୟ ବର୍ଷକ ତଳେ କରୋନା ସଙ୍କଟର ମୁକାବିଲା କରୁଥିବା ବିଭାଗର ଶୀର୍ଷାଧିକାରୀ ଅକସ୍ମାତ୍‌ ପଦଚ୍ୟୁତ ହୋଇ ଅନ୍ୟ ଏକ ବିଭାଗକୁ ସ୍ଥାନାନ୍ତରିତ ହେଲେ। ନିଜ ଦକ୍ଷତା ସହ ସାଧୁତା ପାଇଁ ସେ ବେଶ୍‌ ପରିଚିତ ଥିଲେ ମଧ୍ୟ ତାଙ୍କ ସ୍ଥାନାନ୍ତରଣକୁ ପ୍ରଶାସନର ଏକ ନିୟମିତ ପ୍ରକ୍ରିୟା ବୋଲି ସଫେଇ ଦିଆଗଲା। ତାଙ୍କୁ ଜାଣିଥିବା ଓ ତାଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତା ଏବଂ ପ୍ରଶାସନିକ ଅଭିଜ୍ଞତା ସହ ପରିଚିତ ଥିବା ଲୋକଙ୍କ ପାଇଁ ଏହା ଥିଲା ଏକ ରହସ୍ୟ। ଆନୁଷ୍ଠାନିକ ଭାବେ ଏହି ରହସ୍ୟ ଉଦ୍‌ଘାଟନ କରିବାକୁ କାହାର ସମୟ ଓ ସ୍ପୃହା ନ ରହିବା ସ୍ବାଭାବିକ। ତେବେ ଜଣେ ସାମ୍ବାଦିକଙ୍କ ନିରପେକ୍ଷ ଅନୁଶୀଳନ ଏକ ଭିନ୍ନ କଥା କହୁଥିଲା। ତାଙ୍କ ପାଖରୁ ଶୁଣିବାକୁ ମିଳିଥିଲା, ଶାସନ ବା ପ୍ରଶାସନ ସହ ସମାନ୍ତରାଳ ରେଖାରେ ଗତି କରୁଥିବା ସାଧୁତାର ଦୟନୀୟ ଦୁର୍ଭାଗ୍ୟର କଥା। ନିଜ ସମଗ୍ର ଚାକିରି କାଳ ମଧ୍ୟରେ ସାଧୁତାର ପାଖ ଛାଡ଼ି ନ ଥିବା ସେହି ଶୀର୍ଷାଧିକାରୀ ପ୍ରଶାସକ ମହୋଦୟ ମଧ୍ୟ ନିଜ କାର୍ଯ୍ୟଧାରାରେ ଅନ୍ୟ ଅଧିକାରୀମାନଙ୍କ ହସ୍ତକ୍ଷେପ ତଥା ଅନ୍ୟ କିଛି ଅଧିକାରୀଙ୍କ ଅସାଧୁତାରେ ଅତିଷ୍ଠ ହୋଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବାକୁ ଯାଉଥିବା ବେଳେ ପରିଣାମ ହେଲା ଅତ୍ୟନ୍ତ ପ୍ରତ୍ୟାଶିତ। ପ୍ରଥମେ ତାଙ୍କୁ ପ୍ରଲୋଭନ ଦେଖାଇ ଚୁପ୍‌ କରିଦେବାର ଚେଷ୍ଟା କରାଗଲା। ମାତ୍ର ବିଶ୍ୱସ୍ତ ଶ୍ୱାନକୁ ଯେତେ ପ୍ରଲୋଭନ ଦେଖାଇଲେ ମଧ୍ୟ ତା’ ମୁନିବର ସ୍ବାର୍ଥରକ୍ଷା ପାଇଁ ସେ କି କେବେ ଭୁକିବା ବନ୍ଦ କରନ୍ତା! ଅବଶ୍ୟ ଏ କଥା ଭିନ୍ନ ଯେ, ଦ୍ୱାରପାଳ କୁକୁରର ଭୁକିବା ଶବ୍ଦରେ ନିଦ ଭାଙ୍ଗିଗଲା ପରେ ବି ଚରମ ଉଦାସୀନତାରେ ମୁନିବ ଯେଉଁଠି ପୁଣି ଶୋଇପଡ଼େ, ସେଠି ବିଚରା କୁକୁରର ବା ଚାରା କ’ଣ? ଚୋର ହାତରୁ ନିର୍ଘାତ ପ୍ରହାର ଖାଇ ତା’ର ପ୍ରାଣ ଯିବ ସିନା!
ଶୀର୍ଷାଧିକାରୀଙ୍କ କ୍ଷେତ୍ରରେ ତାହାହିଁ ଘଟିଲା। କତିପୟ କରିତ୍‌କର୍ମାଙ୍କ ପ୍ରଭାବ ଓ ପ୍ରତିପତ୍ତି ଆଗରେ ତାଙ୍କ ଆଦର୍ଶବୋଧ ପରାଜୟ ଲଭିଲା। ତାଙ୍କ ରିପୋର୍ଟ ଉପରେ ତ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ବରଂ ତାଙ୍କ ଅନାବଶ୍ୟକ ସାଧୁତାଠୁ ମୁକ୍ତି ଲଭିବାକୁ ତାଙ୍କୁ ସ୍ଥାନାନ୍ତରିତ କରାଗଲା। ପଦଚ୍ୟୁତ ହେଲା ପରେ ପ୍ରଶାସନିକ ଶୃଙ୍ଖଳା ନାମରେ ତାଙ୍କ ପ୍ରତିକ୍ରିୟାକୁ ସେ ନିଜ ଭିତରେ ଅବରୁଦ୍ଧ ରଖିଥିବେ ନିଶ୍ଚୟ। ନିଜକୁ ନିଜେ ବୁଝାଇ ଦେଇଥିବେ ଯେ, ସାଧୁତା ଓ ଦକ୍ଷତା ସାଙ୍ଗ ହୋଇ ଏକା ରେଖାରେ ଆଗକୁ ବଢ଼ିବା ବୋଧହୁଏ ଅନ୍ୟମାନଙ୍କ ପାଇଁ ଗ୍ରହଣୀୟ ନୁହେଁ। କିନ୍ତୁ ଆମ ଭଳି ପରଦା ପଛର ସାଧାରଣ ମଣିଷମାନଙ୍କ ପାଇଁ ସାଧୁତାର ଏ ପ୍ରକାର ଅପମୃତ୍ୟୁ ବା ଦୁଃଖଦାୟକ ଦୃଶ୍ୟ ନିଶ୍ଚୟ।
ତେବେ ସେହି ଅଧିକାରୀଙ୍କ ଅଯୋଗ୍ୟତା ସପକ୍ଷରେ ଶେଷ ସିଦ୍ଧାନ୍ତଟି କ’ଣ ହୋଇପାରେ? ତାଙ୍କ ଭଳି ପୁଣ୍ୟ ପୁରୁଷଙ୍କୁ କେବଳ ଏତିକି କୁହାଯାଇପାରେ, ହେ ପ୍ରଶାସକ ମହୋଦୟ! ଆପଣ ତ ଛାତ୍ର ଥିବା ବେଳେ ଅର୍ଥଶାସ୍ତ୍ରରେ ପଢ଼ିଥିବେ ‘ବେଡ୍‌ ମନି’ କିପରି ‘ଗୁଡ୍‌ ମନି’କୁ ବାହାର କରିଦିଏ। ସୁତରାଂ, ଆପଣ ବିତାଡ଼ିତ ହେବାରେ ଆଉ ବୈଚିତ୍ର୍ୟ ରହିଲା କେଉଁଠି? ଆପଣଙ୍କ ଭଳି କେଇଜଣ ଗୁଡ୍‌ ମନି ଲୁଚିଛପି ବେଡ୍‌ ମନିଙ୍କ ସହ ରହିଯାଇଛନ୍ତି ବୋଲି ତ ଏ ପୃଥିବୀର ବିଲୟ ଏତେ ବିଳମ୍ବିତ ହେଉଛି। କାହାଣୀର ସେହି ନିଷ୍ପାପ ଶିଶୁଟିକୁ ଧକ୍କା ମାରି ଚଟିଘରୁ ବାହାର କଲା ପରି ଆପଣଙ୍କ ପରି ସାଧୁ ପୁରୁଷଙ୍କୁ ଧକ୍କା ମାରି ବାହାର କରା ନ ଗଲା ଯାଏ ଚଟିଘରର ଧ୍ୱଂସ କାହିଁ ନା ଏ ପୃଥିବୀର ମୁକ୍ତି କାହିଁ! ଅତଏବ, କେବଳ ଅପେକ୍ଷା ସେଇ ବିତ୍ପାତକୁ, ସେଇ ବଜ୍ରପାତକୁ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫