ସାଇବର ସେଲ୍‌ ଖୋଲିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ସାଇବର ଅପରାଧ ରୋକିବା ଲାଗି ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଏକ ସାଇବର ସେଲ୍‌ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟଠାରେ ଗୁରୁବାର ଏହି ସାଇବର ସେଲ୍‌କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିଲେ। ଡିଜିଟାଲ ତଥ୍ୟ ଓ ପ୍ରମାଣ ସଂଗ୍ରହ ଏବଂ ସାଇବର ଅନୁସନ୍ଧାନ ପ୍ରଣାଳୀର ପ୍ରୟୋଗ ନିମନ୍ତେ ଏହି ସେଲ୍‌ ପ୍ରତିଷ୍ଠା କରାଯାଇଛି। ଅନଧିକୃତ ସଫ୍ଟଓ୍ବେର ତଥା ଆପ୍ଲିକେଶନ ଦ୍ୱାରା ବେଆଇନ ଟ୍ରେନ ଟିକେଟ କାରବାର କରୁଥିବା ଠକଙ୍କୁ ଠାବ କରିବାରେ ଏହି ସେଲ୍‌ ବିଶେଷ ସହାୟକ ହେବ। ସେହିଭଳି ରେଳ କାର୍ଯ୍ୟାଳୟ ତଥା ଷ୍ଟେଶନ ପରିସରରୁ ରେଳପଥର ବିଭିନ୍ନ ସାମଗ୍ରୀ ଚୋରି କରିବା, ରେଳ ଫାଟକ ଆଦି ଭାଙ୍ଗି ପଳାଉଥିବା ଅଭିଯୁକ୍ତଙ୍କୁ ଧରିବାରେ ମଧ୍ୟ ସହଜ ହେବ।
ଅନ୍ୟପକ୍ଷରେ ଏହି ସେଲ୍‌ ଟ୍ରେନ୍‌ ଏବଂ ଷ୍ଟେଶନରେ ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧ, ନିଶା କାରବାର, ଜଙ୍ଗଲଜାତ ଦ୍ରବ୍ୟର ଚୋରା କରବାର ଆଦି ଅପରାଧ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିବା ସହ ଅନ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥାଙ୍କୁ ପ୍ରଦାନ କରିବ। ରେଲ୍‌ଓ୍ବେରେ ଘଟୁଥିବା ଅପରାଧକୁ ହ୍ରାସ କରିବା ସହ ଯାତ୍ରୀଙ୍କ ପାଇଁ ଅଧିକ ସୁରକ୍ଷିତ ବାତାବରଣ ଉପଲବ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି। ଏହି ଅବସରରେ ସେ ବୃଦ୍ଧି ପାଉଥିବା ଅନ୍‌ଲାଇନ ଠକେଇକୁ ଧରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ବୈଷୟିକ ତାଲିମ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ମୁଖ୍ୟ ନିରାପତ୍ତା କମିଶନର ରାଜାରାମ, ଖୋର୍ଦ୍ଧାରୋଡ ଡିଆର୍‌ଏମ୍‌ ଶଶିକାନ୍ତ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

Share