ଅକ୍ଟୋବର ପହିଲାରୁ ଖୋଲିବ ଇକୋ-ଟୁର୍‌ ସେଣ୍ଟର

ଭୁବନେଶ୍ୱର,୧୧। ୯(ବ୍ୟୁରୋ): କରୋନା କଟକଣା ପାଇଁ ୬ମାସ ଧରି ବନ୍ଦ ରହିଥିବା ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀ ବା ଇକୋ-ଟୁରିଜମ୍‌ ସେଣ୍ଟର ଅକ୍ଟୋବର ୧ରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୮ଟି ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ତେବେ ରାଜ୍ୟ ସରକାର ଅନୁମତି ଦେବାପରେ ଏନେଇ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟାୟକ୍ରମେ ଖୋଲିବା ପାଇଁ ଅନୁମତି ଦେବାକୁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁରୋଧ କରାଯାଇଥିଲା। ଇକୋ-ରିଟ୍ରିଟ ଆୟୋଜନ ପାଇଁ ଗତ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏହି ଅନୁମତି ଲୋଡାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଭିତରକନିକାର ଡାଙ୍ଗମାଳ, ଚନ୍ଦକାର ଡେରାଶ, ଚିଲିକାସ୍ଥିତ ମଙ୍ଗଳାଯୋଡି, ସାତକୋଶିଆର ବଡମୂଳ, ହୀରାକୁଦର ଦେବ୍ରୀଗଡ, ବାଲିଗୁଡାର ମଣ୍ଡାସାରୁ ଓ ସାତକୋଶିଆର ଛୋଟେଲ, ତରଭା ଏବଂ ବାଘମୁଣ୍ଡ ଭଳି ଇକୋ-ଟୁରିଜମ୍‌ ସେଣ୍ଟର ଖୋଲିବାକୁ ଅନୁରୋଧ କରାଯାଇଥିଲା।
ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ଏହି ଇକୋ-ଟୁରିଜମ୍‌ ସେଣ୍ଟରଗୁଡ଼ିକ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ୨୦୧୮ ତୁଳନାରେ ୨୦୧୯ରେ ଇକୋ-ଟୁରିଜମ୍‌ରୁ ଆଖିଦୃଶିଆ ରାଜସ୍ବ ମିଳିଥିବାବେଳେ ଅଧିକାଂଶ ସେଣ୍ଟର ଲାଭରେ ଚାଲିଥିଲା। ରାଜ୍ୟ ତଥା ଦେଶ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏସବୁ ପ୍ରାକୃତିକ ପରିବେଶରେ ରହଣି ପାଇଁ ବିଶେଷ ଆଗ୍ରହ ଦେଖାଇଥିଲେ। ୨୦୧୯ରେ ୩୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ବିଭିନ୍ନ ଇକୋ-ଟୁରିଜମ୍‌ ସେଣ୍ଟରରେ ରାତ୍ର ରହଣି କରିଥିବାବେଳେ ଏଥିରୁ ବିଭାଗକୁ ୬.୬ କୋଟିର ରାଜସ୍ବ ମିଳିଥିଲା। ବିଶେଷକରି ଶିମିଳିପାଳ ଓ ସାତକୋଶିଆ ବଡ଼ମୂଳ ନେଚର କ୍ୟାମ୍ପ୍‌ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ତେଣୁ ଏହିସବୁ ପରିବେଶ ପର୍ଯ୍ୟଟନସ୍ଥଳୀ ଖୋଲିଲେ ଏଠାକୁ ଦେଶୀୟ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିବେ ଓ ରାଜସ୍ବ ଆସିବା ପରେ ପର୍ଯ୍ୟଟନ ଶିଳ୍ପ ଧୀରେ ଧୀରେ ଦୃଢ଼ ହେବ ବୋଲି ଆଶା କରାଯାଉଛି। କରୋନା ପରବର୍ତ୍ତୀ ସମୟରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ସଜାଡିବା ପାଇଁ ସରକାର ପଡୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସମେତ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଫୋକସ୍‌ କରୁଛନ୍ତି। ଏହି ଯୋଜନାରେ ପର୍ଯ୍ୟଟକଙ୍କୁ ପରିବେଶ ପର୍ଯ୍ୟଟନ ଓ ରାସ୍ତାପାର୍ଶ୍ୱ ପର୍ଯ୍ୟଟନ ପ୍ରତି ଆକୃଷ୍ଟ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏପଟେ ରାଜ୍ୟ ସରକାର ହୋଟେଲ, ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ଦେଇଥିବାବେଳେ ଏସବୁ ପର୍ଯ୍ୟଟନସ୍ଥଳୀ ଖୋଲିଗଲେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଯିବ ବୋଲି ଟୁର୍‌ ଅପରେଟର ଓ ଗାଇଡ୍‌ମାନେ କହିଛନ୍ତି।

Share