‘ଅର୍ଥନୀତିକୁ ଅଚଳ କରିଦେଇଥିଲା ଉପା’

ନୂଆଦିଲ୍ଲୀ,୯ା୨ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ପୂର୍ବରୁ ଭାରତରେ ଏକ ସୁସ୍ଥ ଅର୍ଥନୀତି ଥିଲା। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଏହି ସରକାର କ୍ଷମତାକୁ ଆସିବା ପରେ ଅର୍ଥନୀତିକୁ ଅଚଳ କରିଦେଇଥିଲା ବୋଲି ଗୁରୁବାର କେନ୍ଦ୍ର ପକ୍ଷରୁ ଲୋକ ସଭାରେ ଉପସ୍ଥାପିତ ଶ୍ୱେତପତ୍ରରେ ଅଭିଯୋଗ ଅଣାଯାଇଛି। ନିର୍ମଳା ସୀତାରାମନ୍‌ ଲୋକ ସଭାରେ ହ୍ବାଇଟ୍‌ ପେପର ଉପସ୍ଥାପନ କରି କହିଛନ୍ତି, ୨୦୦୪ରେ ୮% ହାରରେ ଆର୍ଥିକ ଅଭିବୃଦ୍ଧି ଘଟୁଥିଲା। ଶିଳ୍ପ ଓ ସେବା କ୍ଷେତ୍ରରେ ୭% ଏବଂ କୃଷି କ୍ଷେତ୍ରରେ ୯%ରୁ ଊର୍ଦ୍ଧ୍ୱ ଅଭିବୃଦ୍ଧି ଦେଖାଯାଇଥିଲା। କିନ୍ତୁ କଂଗ୍ରେସର କୁପରିଚଳାନା ଓ କ୍ଷୀଣଦୃଷ୍ଟି ଯୋଗୁ ଭାରତୀୟ ଅର୍ଥନୀତିର ମୂଳଦୁଆ ଦୁର୍ବଳ ହୋଇଯାଇଥିଲା। ଉପା ସରକାର ଅର୍ଥନୀତିକୁ ସ୍ଥାଣୁ ଅବସ୍ଥାକୁ ନେଇଆସିଥିଲେ। ଆର୍ଥିକ ଉଦାରବାଦକୁ ତ୍ୟାଗ କରିଦେବାରୁ ବିଶୃଙ୍ଖଳା ଓ ଦୁର୍ନୀତି ଯୋଗୁ କୃଷିଠାରୁ ନେଇ ବ୍ୟାଙ୍କିଙ୍ଗ୍‌ ସେକ୍ଟର ପର୍ଯ୍ୟନ୍ତ ସଙ୍କଟ ଦେଖାଯାଇଥିଲା। ବିତ୍ତୀୟ ନିଅଣ୍ଟ ଦେଶର ଅର୍ଥନୀତି ପାଇଁ ବୋଝ ପାଲଟି ଯାଇଥିଲା। କିନ୍ତୁ ମୋଦି ସରକାର ଆସିବା ପରେ ଅର୍ଥନୀତି ପୁଣି ଟ୍ରାକ୍‌କୁ ଫେରିଥିଲା। ଫଳରେ ଭାରତ ବିଶ୍ୱର ଦ୍ରୁତତମ ତଥା ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି।

Share