ନାନି ଜନ୍ସେନ୍ ରେଭେଣ୍ଟଲୋ
ଶେଷରେ, ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ଉପନିବେଶିକ ଉତ୍ତରାଧିକାରୀର ଜଟିଳ ସମସ୍ୟାକୁ ହୃଦୟଙ୍ଗମ କରିବା ଆରମ୍ଭ କରିଛନ୍ତି। ନେଦରଲାଣ୍ଡରେ ସରକାର ବିଶ୍ୱସ୍ତରୀୟ କ୍ରୀତଦାସ ବେପାରରେ ଦେଶର ଭୂମିକାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଦେଶର ରାଜା ମଧ୍ୟ କ୍ଷମା ମାଗିଛନ୍ତି। ଆଦିବାସୀଙ୍କ ଅଧିକାର ଉପରେ ଜାତିସଂଘର ସ୍ବତନ୍ତ୍ର ଦୂତ ଗ୍ରୀନ୍ଲାଣ୍ଡର ଉପନିବେଶକରଣର ନକାରାତ୍ମକ ପ୍ରଭାବକୁ ସମାଧାନ କରିବାକୁ ଡେନ୍ମାର୍କକୁ କହିଛନ୍ତି। ଏହା ସହ ବ୍ରିଟେନ୍ରେ ଗଣମାଧ୍ୟମ ସଂସ୍ଥା, ଇଂଲଣ୍ଡର ଚର୍ଚ୍ଚ ଏବଂ ମାଞ୍ଚେଷ୍ଟର ଭଳି ସହର ସେମାନଙ୍କର ଧନ ଏବଂ ଶକ୍ତି କ୍ରୀତଦାସମାନଙ୍କ ଦ୍ୱାରା ସମ୍ଭବ ହୋଇଛି ବୋଲି ସ୍ବୀକାର କରିଛନ୍ତି। ଉକ୍ତ ପଦକ୍ଷେପକୁ ଐତିହାସିକ ବୋଲି ସ୍ବୀକାର କରାଯାଉଥିବାବେଳେ ପ୍ରଭାବିତ ସମୁଦାୟଙ୍କ ସହ ଆଲୋଚନାର ଅଭାବ ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିବାରେ ସମ୍ପୂର୍ଣ୍ଣ ନିଷ୍କ୍ରିୟତାକୁ ନେଇ ସମାଲୋଚନାର ସ୍ବର ମଧ୍ୟ ଉଠିଛି। ଅବଶ୍ୟ, ଏହିସବୁ ମନ୍ତବ୍ୟ ଏବଂ କ୍ଷମାମାଗିବା ଧାରା ଉପନିବେଶକରଣର ପ୍ରଭାବ ଉପରେ କି ସୁଧାର ଅଣାଯାଇପାରିବ ତାହାକୁ ଅଣଦେଖା କରିଆସିଛି।
ଏହା ନିଶ୍ଚିତ ଯେ,ଏଭଳି ସାର୍ବଜନୀନ କ୍ଷମା ପ୍ରାର୍ଥନା ସମ୍ପର୍କରେ ଆଲୋଚନା କରାଗଲେ ତାହା ସାଧାରଣରେ ସାମ୍ରାଜ୍ୟବାଦର ଭୟାବହତା ସମ୍ପର୍କରେ ସଚେତନତା ବଢ଼ାଇବାରେ ସାହାଯ୍ୟ କରିବ। ତେବେ ସେମାନଙ୍କ ପ୍ରୋତ୍ସାହନରେ ହେଉଥିବା ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଏବଂ ବାସ୍ତବତା ଏହା ଯେ, ସେହି ସବୁ ଆଲୋଚନା ୟୁରୋପର ପ୍ରତିଷ୍ଠିତ ସଂସ୍ଥା ଯଥା ରାଜପ୍ରାସାଦ, ମ୍ୟୁଜିୟମ, ବହୁ ପୁରୁଣା ପ୍ରତିଷ୍ଠାନ ଓ ଗଣମାଧ୍ୟମ ସମୂହରେ ହିଁ ଅନୁଷ୍ଠିତ ହେଉଛି। ବୁଝିବାକୁ ହେବ ଯେ,ଏଭଳି ଆଲୋଚନା ଏକ କ୍ଷତିକାରକ ଇତିହାସକୁ ଗୁପ୍ତ ରଖିବା ପାଇଁ ନିରବଚ୍ଛିନ୍ନ ପ୍ରୟାସର ପ୍ରମାଣକୁ ସୂଚିତ କରୁଛି। କିନ୍ତୁ ଜର୍ଜଟାଉନ ୟୁନିଭର୍ସିଟିର ପ୍ରାଧ୍ୟାପକ ଓଲ୍ୟୁଫେମି ତୈଓ ‘ଏଲାଇଟ କ୍ୟାପ୍ଚର’ (କିଛି ଆଗୁଆ ଗୋଷ୍ଠୀର ବ୍ୟକ୍ତି ସଂସାଧନ ଓ ସଙ୍ଗଠନର ରାଜନୈତିକ ଦିଗକୁ ସଞ୍ଚାଳନ କରିଥାନ୍ତି) ବୋଲି ଯାହା କହିଛନ୍ତି ସେଥିପ୍ରତି ଆମେ ସତର୍କ ରହିବା ଦରକାର। ଏଥିରେ ସମ୍ଭାବ୍ୟ ପରିବର୍ତ୍ତନଶୀଳ ତଥା ମୁକ୍ତ ବିଚାରଧାରାଗୁଡ଼ିକ ସେମାନଙ୍କର ମୌଳିକ ବିଷୟରୁ ହଟିଯାଇଛନ୍ତି ଏବଂ ସେଗୁଡ଼ିକ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ଶକ୍ତି ଦ୍ୱାରା ଉପଯୋଗ ହୋଇଛନ୍ତି। ଅନେକ ଉପାୟରେ, ପ୍ରତିକାର ସମ୍ପର୍କିତ ଆଲୋଚନା ମଧ୍ୟ ଏହି ବାଟରେ ସ୍ବୀକୃତ ହୋଇସାରିଛି। ଆଜିର ସମୟରେ ଦାସତ୍ୱ, ଉପନିବେଶବାଦ, ସାମ୍ରାଜ୍ୟବାଦ ଏବଂ ଉତ୍ତରାଧିକାରୀ ପୁଞ୍ଜିବାଦକୁ ମୁକାବିଲା କରିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହାକୁ ନେଇ ପ୍ରକାଶ ପାଉଥିବା ସାମ୍ପ୍ରତିକ ସ୍ବୀକାରୋକ୍ତି ଏବଂ କ୍ଷମା ପ୍ରାର୍ଥନା ମଧ୍ୟରୁ କୌଣସିଟି ଚେଷ୍ଟିତ ନୁହନ୍ତି। ତେବେ ସରକାରୀ ଭାବେ ଏଭଳି କ୍ଷମା ପ୍ରାର୍ଥନା ଏକ ଉତ୍ତମ ପ୍ରାରମ୍ଭ ଭାବେ କାର୍ଯ୍ୟ କରିପାରିବ। କିନ୍ତୁ କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ପ୍ରକୃତ ଉତ୍ତରଦାୟିତ୍ୱରୁ ଦୂରେଇଯିବା ପାଇଁ ଉପନିବେଶୀୟ ଅତ୍ୟାଚାର କରିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ।
ଐତିହାସିକ ଅନ୍ୟାୟର ପ୍ରଭାବ ଓ ବିପଦଗୁଡ଼ିକୁ ସ୍ବୀକାର ନ କରି କେବଳ ଏଗୁଡ଼ିକୁ ମନେପକାଇବା ଓ କ୍ଷମା ମାଗିବା ଅର୍ଥ ଢାଞ୍ଚାଗତ ଅସମାନତାକୁ ଜାରି ରଖିବା। ଉପନିବେଶବାଦ ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାକୁ ସହଯୋଗ କରିଥିଲା। କୃଷ୍ଣକାୟ ଯୁବକଙ୍କର ଅତ୍ୟଧିକ ଅପରାଧୀକରଣ, ଅତ୍ୟଧିକ ଅଣଶ୍ୱେତାଙ୍ଗ ମାତୃ ମୃତ୍ୟୁହାର, କର୍ମସ୍ଥଳୀରେ ଅସମାନତା, ପ୍ରବାସୀଙ୍କ ପାଇଁ ସାମାଜିକ ସେବାର ସୀମିିତ ଉପଲବ୍ଧତା ଏବଂ ୟୁରୋପରେ ରାଜକୀୟ ବ୍ୟବସ୍ଥାର ସାମାଜିକ ଓ ରାଜନୈତିକ କ୍ଷମତାର ପ୍ରୟୋଗ ହିଁ ୟୁରୋପକୁ ସମୃଦ୍ଧ କରିଥିବା ଫାସିବାଦ ସାମ୍ରାଜ୍ୟବାଦ ପରିଣାମର ଗୋଟିଏ ଗୋଟିଏ ଅଂଶ। ଏହି ଅନ୍ୟାୟକୁ ଦୂରକରିବା ପାଇଁ ଆମକୁ ସ୍ବୀକାର କରିବାକୁ ହେବ ଯେ କ୍ଷତିପୂରଣ ବିଷୟରେ ସାମ୍ପ୍ରତିକ ବିତର୍କରେ ଆର୍ଥିକ ପୁନଃ ସ୍ଥାପନ ଉପରେ ଯେଉଁ ଗୁରୁତ୍ୱ ଦିଆଯାଉଛି ସେଥିରେ ସମସ୍ୟା ରହିଛି। ଯଦି ଆମେ ସତର୍କ ନାହଁୁ, ସରକାର ଏବଂ ଅନୁଷ୍ଠାନଗୁଡ଼ିକ ନିଜ ଦାୟିତ୍ୱରୁ କୌଣସି ପ୍ରକାରେ ବାହାରିଯିବାକୁ କ୍ଷତିପୂରଣ ବା ପ୍ରତିକାରର ଅର୍ଥ-କେନ୍ଦ୍ରିକ ପରିଭାଷାକୁ ବ୍ୟବହାର କରିପାରନ୍ତି। କାରଣ ଆମେ ଅନ୍ତର୍ଜାତୀୟ ଆଇନରୁ ଜାଣିଛୁ ଯେ ଆଇନ, ନୀତି ଏବଂ କାର୍ଯ୍ୟକାରିତାରେ ସଂଶୋଧନ କରିବା ଭଳି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବା ପରିବର୍ତ୍ତେ ଦେଶଗୁଡ଼ିକ ମାନବିକ ଅଧିକାରର ଉଲ୍ଲଂଘନ ପାଇଁ କ୍ଷତିପୂରଣ ଦେବାକୁ ପସନ୍ଦ କରନ୍ତି। ଆମ କାର୍ଯ୍ୟକଳାପର ମୌଳିକ ସ୍ଥିତି ସଫଳତାକୁ ନିର୍ଦ୍ଦିଷ୍ଟ କରିବା ସହ ଏକ ନ୍ୟାୟପୂର୍ଣ୍ଣ ପୃଥିବୀ ପାଇଁ ଧନ ପୁନଃ ଆବଣ୍ଟନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କମାଇଦେବ ନାହିଁ। କିନ୍ତୁ ଯେଉଁମାନେ ନ୍ୟାୟ ପାଇଁ ସ୍ବର ଉଠାଉଛନ୍ତି କେବଳ ସେମାନଙ୍କୁ ଶାନ୍ତ କରିବାକୁ ଚାହଁୁଥିବା ଆଥିର୍ର୍କ ବୁଝାମଣାଗୁଡ଼ିକ କେବେହେଲେ ବ୍ୟବସ୍ଥାଗତ ଅସମାନତାକୁ ଟାର୍ଗେଟ କରୁଥିବା ପୁନଃ ଆବଣ୍ଟିତ ନୀତିଗୁଡ଼ିକ ସହ ସମାନ ନୁହେଁ। ଏଯାବତ ୟୁରୋପୀୟ ସରକାର ଓ ସଂସ୍ଥାଗୁଡ଼ିକ ଏହି ଦୁଇଟି ମଧ୍ୟରେ ଥିବା ପ୍ରଭେଦକୁ ଅସ୍ପଷ୍ଟ ରଖିବା ଲାଗି ଉତ୍ସାହିତ ହୋଇପଡ଼ିଛନ୍ତି।
ୟୁରୋପରେ ଥିବା ଏଷ୍ଟର ଷ୍ଟାନ୍ଫୋର୍ଡ-ଜୋସି ଏବଂ ପାନ୍-ଆଫ୍ରିକାନ୍ ରିପାରେଶନ କୋଆଲିଏସନ ଯୁକ୍ତି ବାଢ଼ିଛନ୍ତି ଯେ ପ୍ରତିକାରର ଆର୍ଥିକ ଦିଗ ଯଦି ସମଗ୍ର ଉଦ୍ଦେଶ୍ୟକୁ ପୂରଣ କରେ ଏବଂ ଆମର ଆତ୍ମ-ସଂଶୋଧନ ପ୍ରକ୍ରିୟାର ଶକ୍ତି ହୁଏ, ତେବେ ତାହା ଅର୍ଥପୂର୍ଣ୍ଣ ହେବ। ଅନ୍ୟ ଶବ୍ଦରେ, ଯେକୌଣସି ପ୍ରକାର କ୍ଷତିପୂରଣ ସମ୍ପ୍ରଦାୟଗୁଡ଼ିକୁ ସେମାନଙ୍କର ଅଂଶଧନ ଏବଂ ସମ୍ବଳ ଉପରେ କ୍ଷମତା ସମ୍ମାନ ଏବଂ ପରିଚାଳନାଗତ ଦାୟିତ୍ୱରେ ସକ୍ଷମ କରିବାକୁ ପଡ଼ିବ। ଯଦି ପ୍ରତିକାର ବ୍ୟବସ୍ଥା କିମ୍ବା କ୍ଷତିପୂରଣ କେବଳ ଅତୀତ ଉପରେ ଗୁରୁତ୍ୱ ଦିଏ, ତେବେ ଆମେ ବର୍ତ୍ତମାନକୁ ଅବହେଳା କରିବା ଏବଂ ସେମାନଙ୍କର ମୁକ୍ତି ସମ୍ଭାବନାକୁ ଦୁର୍ବଳ କରିବା। କ୍ଷତିପୂରଣର ଉଦ୍ଦେଶ୍ୟ ହେଉଛି ଏକ ଅଧିକ ସମାନତାର ବିଶ୍ୱ ଗଠନ କରିବା ପାଇଁ ସାହାଯ୍ୟ କରିବା। ଏହିପରି ଏକ ଦୁନିଆକୁ ପରିବର୍ତ୍ତନ କେବେ ମୂଲ୍ୟହୀନ ହେବ ନାହିଁ ଏବଂ ଏଥିପାଇଁ ତ୍ୟାଗ ଆବଶ୍ୟକ। ଅଧିକ ନ୍ୟାୟପୂର୍ଣ୍ଣ ଭବିଷ୍ୟତ ପାଇଁ ଆମକୁ ପ୍ରଥମେ ଉପନିବେଶବାଦକୁ ମୁକାବିଲା କରୁଥିବା ସମ୍ପ୍ରଦାୟର ଜରୁରୀ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ। ଏହାର ଅର୍ଥ ଆମର ଆଇନଗତ, ଶିକ୍ଷା, ସ୍ବାସ୍ଥ୍ୟ-ଯତ୍ନ ଏବଂ ରାଜନୈତିକ ବ୍ୟବସ୍ଥାରେ ଅସମାନ କ୍ଷମତାର ବ୍ୟବସ୍ଥାକୁ ଭାଙ୍ଗିବା ସହ କାର୍ଯ୍ୟକ୍ଷେତ୍ର ଏବଂ ସାର୍ବଜନୀନ ସେବାରୁ ଏହାକୁ ଦୂରେଇବାକୁ ହେବ।
ଅତ୍ୟାଚାରର ସଂରଚନାକୁ ସମାଧାନ କରିବା ପାଇଁ ଏକ ଗୋଷ୍ଠୀ କୈନ୍ଦ୍ରିକ ଦୃଷ୍ଟିକୋଣ ଗ୍ରହଣ କରି ନିଶ୍ଚିତ କରିପାରିବା ଯେ, ବଞ୍ଚିତ ବର୍ଗଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ସମାନ ସୁବିଧା ରହିଛି। କିନ୍ତୁ ଏକ କ୍ଷତିକାରକ ଏବଂ ନିଷ୍କ୍ରିୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାକୁ ଆଗ୍ରହୀ ହେବା ଆବଶ୍ୟକ। ସରଳରେ କହିବାକୁ ଗଲେ, ବଞ୍ଚିତ ଗୋଷ୍ଠୀ ଉପରେ ପ୍ରଭାବ ପକାଉଥିବା କୌଣସି ଢାଞ୍ଚା, ଅନୁଷ୍ଠାନ, କିମ୍ବା ପ୍ରକ୍ରିୟାକୁ ଆମେ ଏଯାବତ୍ ଗ୍ରହଣ କରିପାରିନାହଁୁ। ବରଂ ସେମାନଙ୍କ ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି ବିନା ଆମେ ସେଗୁଡ଼ିକୁ ସ୍ଥାପନ କରିଛୁ କିମ୍ବା ପରିଚାଳନା କରୁଛୁ। ଐତିହାସିକ ଅନ୍ୟାୟକୁ ସୁଧାରିବା ଅର୍ଥ କେବଳ ଅତୀତର ତ୍ରୁଟିକୁ ଠିକ୍ କରିବା। ଏକ ଅଧିକ ସମାନତା ସମାଜ ସୃଷ୍ଟି କରିବାକୁ, ଆମକୁ ଏବକାର ଉପନିବେଶବାଦର ପ୍ରଭାବକୁ ସମାଧାନ କରିବାକୁ ପଡ଼ିବ।
ମାନବ ଅଧିକାର ଆଇନଜୀବୀ ତଥା ସିଷ୍ଟେମିକ୍ ଜଷ୍ଟିସ(ଏନ୍ଜିଓ)ର ପ୍ରତିଷ୍ଠାତା