ମାଲକାନଗିରିରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.): କରୋନା ମହାମାରୀର ଦ୍ୱିତୀୟ ଲହର ଆଜି ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିବା ସହ ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ତଥାପି ମାଲକାନଗିରି ଜିଲାର ଅନେକ ସ୍ଥାନରେ ଜନଗହଳି ହେଉଥିବା, ସମଦୂରତା ରକ୍ଷା କରାଯାଉ ନ ଥିବା ଏବଂ ଅଧିକାଂଶ ବ୍ୟକ୍ତି ମାସ୍କ ବ୍ୟବହାର କରୁ ନ ଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଟି ଜିଲାରେ ଆଜିଠାରୁ ସନ୍ଧ୍ୟା ୬ରୁ ସକାଳ ୫ଟା କର୍ଫ୍ୟୁ ଜାରି କରିଥିବା ବେଳେ ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜି ମାଲକାନଗିରି ସହର, ବାଲିମେଳା ବିଜ୍ଞାପିତ ଅଞ୍ଚଳ, କାଲିମେଳା ବ୍ଲକ ସଦର ମହକୁମାରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି।