ଗାଜା ଯୁଦ୍ଧର ପ୍ରଭାବ, ପାଣି-ଗୋପନୀୟତା ଅଭାବରୁ ଋତୁସ୍ରାବ ନ ହେବା ପାଇଁ ଔଷଧ ଖାଉଛନ୍ତି ମହିଳା…

ଜେରୁଜେଲମ,୧।୧୧ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଲୋକମାନେ ଜୀବନର ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଭିଟାମାଟି ଛାଡିଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜାରେ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇ ଯାଇଛି। ପୋଷାକ ବଦଳାଇବା ଏବଂ ସ୍ନାନ କରିବା ସମୟରେ ସେମାନେ ପୂର୍ବ ପରି ଅଧିକ ଗୋପନୀୟତା ପାଉନାହାନ୍ତି।

ସାମ୍ପ୍ରତିକ ପରିସ୍ଥିତି ମଧ୍ୟରେ, ଋତୁସ୍ରାବ ସମୟରେ ସେମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାମାନେ ଋତୁସ୍ରାବ ସମୟରେ ବ୍ୟବହାର କରିବାକୁ ସାନିଟାରୀ ନାପକିନ ମଧ୍ୟ ପାଇପାରୁ ନାହାନ୍ତି। ଏହା ସହିତ ଜନଗହଳି ପୂର୍ଣ୍ଣ ସ୍ଥାନରେ ରହିବା ଯୋଗୁ ସେମାନେ ସେମାନଙ୍କର ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ସବୁ ପରିସ୍ଥିତିର ସାମ୍ନା କରି ମହିଳାମାନେ ଋତୁସ୍ରାବ ନ ହେବା ପାଇଁ ଔଷଧ ବ୍ୟବହାର କରିବା ଆରମ୍ଭ କରିଛନ୍ତି। କିନ୍ତୁ ଡାକ୍ତରୀ ବିଶେଷଜ୍ଞମାନେ ଏଭଳି ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରୁଛନ୍ତି।

ଗାଜାର ଖାନ ୟୁନିସରେ ଥିବା ନାସିର ମେଡିକାଲ କମ୍ପ୍ଲେକ୍ସର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ପରାମର୍ଶଦାତା ଡାକ୍ତର ୱାଲିଦ ଆବୁ ହତାବ ଅଲ ଜଜିରାକୁ କହିଛନ୍ତି ଏହି ବଟିକା ପ୍ରୋଜେଷ୍ଟେରୋନ ହରମୋନ ସ୍ତରକୁ ବଢ଼ାଇ ଥାଏ ଯାହା ଦ୍ୱାରା ଋତୁସ୍ରାବ ବିଳମ୍ବ ହୋଇଥାଏ।

ଏହି ବଟିକାର ଅତ୍ୟଧିକ ବ୍ୟବହାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ ବୋଲି ଡାକ୍ତର କହିଛନ୍ତି।

Share