କେନ୍ଦୁଝର, ୧୩ା୯ (ସ୍ବ.ପ୍ର.)-କୁହାଯାଉଛି ଏହା ଅଷ୍ଟାଦଶ ଶତାବ୍ଦୀର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର। ବିଚ୍ଛନ୍ନାଞ୍ଚଳ ଷଢେଇକଳା ଗଡଜାତ ଅଞ୍ଚଳର ସୁରମ୍ୟ ବଣପାହାଡ ପରିବେଷ୍ଟିତ ଅଞ୍ଚଳରେ ନିର୍ମିତ ହୋଇଛି ଏହି ଉତ୍କଳୀୟ କଳାଭାସ୍କର୍ଯ୍ୟର ସପ୍ତଚୂଡା ଅଦ୍ୱିତୀୟ ଶ୍ରୀ ରଘୁନାଥ ରାମମନ୍ଦିର। ଏହି ମନ୍ଦିର ପ୍ରସ୍ତାବିତ ଖଡଖାଇ ନଦୀରେ ନିର୍ମାଣ ହେବାକୁ ଥିବା ଜଳଭଣ୍ଡାରରେ ଲୀନ ହୋଇଯିବ। ଏଣୁ ଏହି ମନ୍ଦିର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳର ଓଡିଆ ସଂସ୍କୃତି ପ୍ରେମୀ ଓ ଓଡିଆ ଭାଷାଭାଷୀ ରାମଭକ୍ତ ଦାବି କରିଛନ୍ତି। ବାଲୁକା-ଶିଳା-ପ୍ରସ୍ତରମୟ ମୟୂରଭଞ୍ଜ (ଶିମିଳିପାଳ ପର୍ବତମାଳାରୁ ଖଡଖାଇ ନଦୀ କୂଳରେ ଅବସ୍ଥିତ) ଇଚାପିଢର ତତ୍କାଳୀନ ସାମନ୍ତ ରାଜାଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥବା କୁହାଯାଏ। ଓଡିଶା ଉପାନ୍ତ ରାଜ୍ୟ ପୋଡାହାଟ/ସିଂହଭୂମି ଅଞ୍ଚଳରେ ସ୍ଥାପିତ ଏହି ମନ୍ଦିରରେ ରାଠୋର ରାଜବଂଶ ଦ୍ୱାରା ସେମାନଙ୍କ ଇଷ୍ଟଦେବତା ଭଗବାନ ବିଷ୍ଣୁଙ୍କୁ ସିଂହଳ ଦ୍ୱୀପରୁ ଆଣି ଅମୂଲ୍ୟ ପବିତ୍ର ଶାଳଗ୍ରାମ ସହ ଏହି ରାମ ମନ୍ଦିରରେ ପୂଜା କରିଆସୁଥିବା କୁହାଯାଏ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସଂଗଠନ ଓ ସମାଜ ଜୋର ଲଗାଇ ଦେଇଥିବା ବେଳେ ଏଠାରେ ଅଙ୍ଗ-ବଙ୍ଗ-କଳିଙ୍ଗ ଅଞ୍ଚଳ ଷଢେଇକଳାଠାରେ ଥିବା ଏହି ପ୍ରାଚୀନ ଦୁର୍ଲଭ ମନ୍ଦିରର ସୁରକ୍ଷା ପାଇଁ କାହାରି ପାଟିଫିଟୁ ନ ଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଯୁଗେ ଯୁଗେ ଧରି ଅଖଣ୍ଡ ଆସ୍ଥାର ସହିତ ପୂଜା ପାଇ ଆସୁଥିବା ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ସୁରକ୍ଷା କରିବାକୁ ବିଛିନ୍ନାଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତି ଆନ୍ଦୋଳନରେ ସାମିଲ ହୋଇଥିବା ଡକ୍ଟର ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି। ଜଳଭଣ୍ଡାର ନିର୍ମାଣ ନାମରେ ଏହି ପୁରାତନ ଐତିହ୍ୟସମ୍ପନ୍ନ ମନ୍ଦିରକୁ ଜଳ ସମାଧି କରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ଷଡଯନ୍ତ୍ର ଓଡିଶାରୁ ଏହି ଅଞ୍ଚଳକୁ ବିହାରକୁ ଦେଇ ଦେବା ଦିନରୁ ଚାଲିଆସୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଆମ ସରକାର ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରି ନିରବିଚ୍ଛିନ୍ନ ଭାବେ ପୂଜା ପାଇ ଆସୁଥିବା ଏହି ଅମୂଲ୍ୟ ଐତିହ୍ୟ ଜାତୀୟ ସମ୍ପତ୍ତିର ସୁରକ୍ଷା କରିବାକୁ ବିଚ୍ଛିନ୍ନାଞ୍ଚଳବାସୀ ଦାବି କରିଛନ୍ତି।
ଖଡକାଇ ନଦୀରେ ବନ୍ଧ ନିର୍ମାଣ ହେଉ। କିନ୍ତୁ ଗୁଜୁରାଟ ରାଜ୍ୟ ଭଳି ଆଧୁନିକ ବୈଜ୍ଞାନିକ କଳାକୌଶଳ ଉପଯୋଗ କରି ବଣପାହାଡ ନଦୀ ନାଳ ସହିତ ନାନା ପ୍ରକାରର ଅଲୌକିକ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଏହି ସୁରମ୍ୟ ଅଞ୍ଚଳର ବିକାଶ କରାଯାଇପାରିଲେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟ ଏବଂ ଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାନ୍ତା। ଓଡିଶା ଝାଡ଼ଖଣ୍ଡ ସହିତ ଅନ୍ୟ ରାଜ୍ୟର ରାମଭକ୍ତମାନେ ଥରେ ଏହି ମନ୍ଦିର ସ୍ଥଳକୁ ଯାଇ ନିଜେ ଦେଖି ହୃଦୟଙ୍ଗମ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।