ଜାଗାବାଡ଼ିକୁ କେନ୍ଦ୍ର କରି ସାନ ଭାଇଙ୍କୁ ହାଣିଲେ ବଡ଼

ମୋରଡ଼ା,୧୬ା୬(ସ୍ମାରକ ମାଜୀ): ଜାଗାବାଡ଼ିକୁ ନେଇ ସାନ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ଲୁଣଚାଟି ଗାଁରେ।

ଘଟଣା ଅନୁଯାୟୀ,ଉକ୍ତ ଗ୍ରାମର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଉକ୍ତ ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚି ଉଗ୍ରରୂପ ଧାରଣା କରିଥିଲା। ଆଜି ସକାଳେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ତେବେ ଅରୁଣ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଖଣ୍ଡାରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୟନ୍ତ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନ ପଡ଼ିବାରୁ ସେ ଉକ୍ତ ଖଣ୍ଡାରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଜୟନ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ଓ ତାଙ୍କ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।