ପୁଅ ନୁହେଁ, ବଡ଼ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି,୮ା୨: ପୁଅ ପରି ମଧ୍ୟ ଝିଅ ସବୁ କିଛି ଦାୟିତ୍ୱ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ ସମ୍ଭବ କରିପାରେ ଝିଅ। ଏପରି ଏକ ନଜିର ସୋମବାର ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଝିଅ ସଂଯୁକ୍ତା ବାପାଙ୍କ ମୃତଦେହକୁ କାନ୍ଧରେ ଶ୍ମଶାନକୁ ବୋହିନେଇ ମୁଖାଗ୍ନି ଦେଇଛନ୍ତି। ତାଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପ୍ରଧାନିଗୁଡା ଗ୍ରାମର ସତ୍ୟ ନାରାୟଣ ନାୟକ (୫୫)ଙ୍କ ରବିବାର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କର ପୁଅ ନ ଥିଲେ। ମୃତକଙ୍କୁ କିଏ ମୁଖାଗ୍ନି ଦେବେ ସେନେଇ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ବଡପୁଅ ମୁଖାଗ୍ନି ଦେବାର ପରମ୍ପରା ରହିଛି। ମୃତ୍ୟୁ ପରେ ପୁଅ ପିଣ୍ଡପାଣି ଦେବ ଏହି ପାରମ୍ପରିକ ଚିନ୍ତାଧାରାରେ ବଡଝିଅ ସଂଯୁକ୍ତା ପୂର୍ଣ୍ଣଚ୍ଛେଦ ପକାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ବାପାଙ୍କ ମୃତଦେହକୁ କାନ୍ଧରେ ମଶାଣିକୁ ବୋହି ନେଇଥିଲେ। ସେଠାରେ ଅନ୍ୟ ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ସଂଯୁକ୍ତା ମୁଖାଗ୍ନି ଦେଇଥିଲେ। ସୂଚନାଯୋଗ୍ୟ ସତ୍ୟ ନାରାୟଣ ଜଣେ ଅଟୋ ଚାଳକ ଥିଲେ। ଅଟୋ ଚଳାଇ ସେ ପରିବାର ଚଳାଉଥିଲେ।

Share