ନିର୍ବାଚନ କମିଶନଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୩।୧୧: ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସୋମବାର ହୋଇଛି। ଏହି ମାମଲାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୂରଲୀଧର ଏବଂ ବିଚାରପତି ଏ.କେ.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ କୋର୍ଟ ଜାଣିବାକୁ ଚାହିଁଥିଲେ। ଏ ନେଇ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ରେ ହେବ। ଏହି ମାମଲାକୁ ଆଇନଜୀବୀ ସୁକାନ୍ତ କୁମାର ଦଳେଇ ପରିଚାଳନା କରୁଛନ୍ତି।
ସୂଚନା ଅନୁଯାୟୀ, ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ବୀରେନ୍ଦ୍ର ଦାସ ଏ ନେଇ ହାଇକେର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ସେ ତାଙ୍କ ପିଟିଶନରେ ଦର୍ଶାଇଥିଲେ, ଗତ ଜାନୁୟାରୀ ୧୦ରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସରପଞ୍ଚ ପଦବୀ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେଉଁ ପଞ୍ଚାୟତ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ତାହା ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା। ତେବେ ପଞ୍ଚାୟତିରାଜ ଆଇନ ଅନୁଯାୟୀ, ଏଥିରେ ବିଭିନ୍ନ ବର୍ଗଙ୍କ ଲାଗି ସେମାନଙ୍କ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ରଖାଯିବା କଥା। କିନ୍ତୁ ଏହାକୁ ଅଣଦେଖା କରାଯାଇଛି। ତେଣୁ ଉକ୍ତ ବିଜ୍ଞପ୍ତିକୁ ରଦ୍ଦ କରାଯାଉ। ଏଥିସହ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ।