ହାଟଡ଼ିହୀ,୧୭ା୩(ଡିି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢା ପଞ୍ଚାୟତ ସରପଞ୍ଚ ପଦବୀ ଲାଗି ହୋଇଥିବା ନିର୍ବାଚନରେ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ପରାଜିତ ସରପଞ୍ଚ ପ୍ରାର୍ଥନୀ ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ କରିଛନ୍ତି। କମିଶନ ତାଙ୍କ ଆବେଦନକୁ ଗୁରୁତର ସହ ଗ୍ରହଣ କରି କେନ୍ଦୁଝର ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ୧୪ଟି ୱାର୍ଡକୁ ନେଇ ଗଠିତ ଶଢା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର, ସାଗରିକା ଯେନା ଓ ସୁକାନ୍ତି ପାତ୍ର ନିର୍ବାଚନ ଲଢ଼ୁଥିଲେ। ପଞ୍ଚାୟତର ମୋଟ ୪୫୭୦ଜଣ ଭୋଟର ମତଦାନ କରିଥିବା ବେଳେ ବୈଧ ଭୋଟ ସଂଖ୍ୟା ୪୪୨୬ ଏବଂ ରିଜେକ୍ଟ ଭୋଟ ସଂଖ୍ୟା ୧୪୫ଅଟେ। ଭାରତୀଙ୍କୁ ୩୩ ଖଣ୍ଡ, ସାଗରିକାଙ୍କୁ ୨୨୦୯ଖଣ୍ଡ ଓ ସୁକାନ୍ତିଙ୍କୁ ୨୧୮୪ ଖଣ୍ଡ ଭୋଟ ମିଳିଥିଲା। ବ୍ଲକ ପକ୍ଷରୁ ସାଗରିକାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହାର ପ୍ରତିବାଦରେ ସୁକାନ୍ତି କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ,ହାଟଡିହୀ ବିଡିଓ ଏବଂ ରାଜ୍ୟ ନିର୍ବାଚଚ କମିଶନଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ବୃଦ୍ଧାଙ୍ଗୁଳି ଛାପରେ ତାଙ୍କ ସପକ୍ଷରେ ହୋଇଥିବା ବହୁ ମତଦାନକୁ ରିଜେକ୍ଟ କରାଯାଇଥିବାରୁ ସେ ପରାଜିତ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ରିଜେକ୍ଟ ହୋଇଥିବା ସେହି ସବୁ ମତଦାନକୁ ବୈଧ ଭାବେ ପୁନଃଗଣନା ପାଇଁ ସେ ନିବେଦନ କରିଛନ୍ତି। ବିଡିଓ ବିନୀତା ବିଜୟିନୀ ବୃଦ୍ଧାଙ୍ଗୁଳି ଛାପରେ ମତଦାନକୁ ଅବୈଧ କହିଥିବା ବେଳେ ଆନନ୍ଦପୁର ଉପଜିଲାପାଳ ଗୋପୀନାଥ କୁଅଁର ଏପରି ମତଦାନ ବୈଧ ବୋଲି କହିଛନ୍ତି। ଅପରପକ୍ଷେ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଫକୀର ଚରଣ ଶତପଥୀ ଏକ ଗାଇଡ୍ଲାଇନ ସମସ୍ତ ଉପଜିଲାପାଳ, ବିଡିଓ ଏବଂ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ପ୍ରେରଣ କରି ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ ବୋଲି ଏକ ଚିଠିରେ ଉଲ୍ଲେଖ କରିଥିଲେ। ନିର୍ବାଚନ କମିଶନଙ୍କ ଡେପୁଟି ସେକ୍ରେଟାରୀ ଏ.ଏଚ୍.ପାଣିଗ୍ରାହୀ ଚିଠିନଂ. ୫୧୯୩/୧୬ା୩ା୨୦୨୨ରେ କେନ୍ଦୁଝର ଜିଲାପାଳଙ୍କୁ ଅଭିଯୋଗର ତଦନ୍ତ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।