ଭୋଟ ଗଣତି ଚାଲିଥିବାବେଳେ ନିର୍ବାଚନ କମିଶନର ନିଖୋଜ!

ଇସ୍‌ଲାମାବାଦ,୮।୨:ପାକିସ୍ତାନରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ଗୁରୁବାର ମତଦାନ ଶେଷ ହୋଇଛି। ପାକିସ୍ତାନରେ ଭୋଟ ଗଣତି ସମୟରେ ନିର୍ବାଚନ କମିଶନର ନିଖୋଜ ଥିବା ଚର୍ଚ୍ଚା ହେଉଛି। ନିଜକୁ ଜଣେ ଅନ୍ତର୍ଜାତୀୟ ଥିଙ୍କ ଟ୍ୟାଙ୍କର ଡେପୁଟି ଡାଇରେକ୍ଟର ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିର୍ବାଚନ କମିଶନରଙ୍କ ନିଖୋଜ ବିଷୟରେ ସୂଚନା ଦେଇଛନ୍ତି।
ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ଭୋଟ ଚାଲିଥିବାବେଳେ ଖାଇବର ପାଖ୍‌ତୁନ୍‌ଖ୍ବା ପ୍ରଦେଶର ଡେରା ଇସ୍‌ମାଇଲ୍‌ ଖାନ୍‌ ଜିଲାରେ ଆତଙ୍କବାଦୀ ବିସ୍ଫୋରଣ ଘଟାଇବାରୁ ୫ ପୋଲିସ କର୍ମଚାରୀ ନିହତ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୋଲିସ୍‌ର ଏକ ମୋବାଇଲ ଭ୍ୟାନ୍‌କୁ ଟାର୍ଗେଟ କରି ଆତଙ୍କବାଦୀ ପ୍ରଥମେ ଆଇଇଡି ବିସ୍ଫୋରଣ କରିବା ସହ ଗୁଳି ଚଳାଇଥିଲେ।
୧୨,୮୫,୮୫,୭୬୦ ପଞ୍ଜୀକୃତ ଭୋଟରଙ୍କ ମତଦାନ ଲାଗି ଗୁରୁବାରକୁ ଛୁଟି ଘୋଷଣା କରାଯାଇଥିଲା। ସକାଳ ୮ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଭୋଟ ଗଣନା ଆରମ୍ଭ ହୋଇଥିବାବେଳେ ଆଜି ସକାଳ ସୁଦ୍ଧା ଫଳାଫଳ ଜଣାପଡ଼ିଯିବ ବୋଲି କୁହାଯାଉଛି। ନଓ୍ବାଜ ଶରିଫ୍‌ଙ୍କ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବା ଆଶା କରାଯାଉଛି।
ଦେଶବ୍ୟାପୀ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ରାଜନୈତିକ ଦଳଗୁଡ଼ିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭୋଟିଂ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ସାରା ଦେଶରେ ୬,୫୦,୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜେଲରେ ଥାଇ ପୋଷ୍ଟାଲ ବାଲଟ ଜରିଆରେ ଭୋଟ ଦେଇଛନ୍ତି। ଇମ୍ରାନ୍‌ଙ୍କ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ ପାର୍ଟିକୁ ନିର୍ବାଚନ କମିଶନ ଦଳୀୟ ଚିହ୍ନ ‘ବ୍ୟାଟ୍‌’ରୁ ବଞ୍ଚତ୍ତ କରିବା ସହ ସୁପ୍ରିମକୋର୍ଟ ଉକ୍ତ ନିଷ୍ପତ୍ତିକୁ କାଏମ ରଖିଥିଲେ। ଫଳରେ ଇମ୍ରାନଙ୍କ ଦଳୀୟ ପ୍ରାର୍ଥୀମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ।

Share