ସରିଲା ନିର୍ବାଚନ, ବଢ଼ିଲା ଉତ୍କଣ୍ଠା

ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟଗ୍ରହଣ ସରିଛି। ଚଳିତ ବର୍ଷ ପୌର ଅଧ୍ୟକ୍ଷ ପାଇଁ ସିଧାସଳଖ ଭୋଟ ଗ୍ରହଣ କରାଯାଇଛି। ଭୋଟରମାନେ ନିଜ ପସନ୍ଦର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ବାଛିଛନ୍ତି। ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ କନକଲକ୍ଷ୍ମୀ ମହାନ୍ତି, ଭାଜପାର କୁନିଲତା ସ୍ବାଇଁ ଏବଂ କଂଗ୍ରେସର ବିନୋଦିନୀ ମହାପାତ୍ରଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଭୋଟ ଗ୍ରହଣ ସରିବା ପରେ କାହା ହାତକୁ ଯିବ ପୌର ଅଧ୍ୟକ୍ଷ, ତାହାକୁ ନେଇ ସବୁଠି ରହିଛି ଉତ୍କଣ୍ଠା। ବିଜେଡି ଏବଂ ଭାଜପା ପ୍ରାର୍ଥୀ ମଧ୍ୟରେ କଡା ଟକ୍କର ହୋଇଛି। ପୌର ନିର୍ବାଚନରେ ବିଜେଡି ବହୁମତ ସହ ପ୍ରାର୍ଥୀ ବିଜୟ ହେବା ସହ ପୌର ଅଧ୍ୟକ୍ଷ ଦଖଲ କରିବ ବୋଲି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି। ଅନ୍ୟପଟେ ଭାଜପା ଜିଲା ସଭାପତି ରଶ୍ମି ମହାପାତ୍ର କୁହନ୍ତି,ଭାଜପା ପ୍ରାର୍ଥୀଙ୍କ ପ୍ରତି ଲୋକଙ୍କ ଆସ୍ଥା ରହିଛି। ଚଳିତ ପୌର ଅଧ୍ୟକ୍ଷ ଭାଜପା ଦଖଲ କରିବ ବୋଲି ମଧ୍ୟ ସେ କହିଛନ୍ତି।
ବିଜେଡିର ପୌର ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ନେଇ ପୂର୍ବରୁ ଦଳରେ ଅସନ୍ତୋଷ ରହିଥିବା ବେଳେ ପରବର୍ତ୍ତି ସମୟରେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏପରିକି ପ୍ରଚାରର ଶେଷ ପର୍ଯ୍ୟାୟରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଗୋଟିଏ ମଞ୍ଚରେ ଏକାଠି ହୋଇ ପ୍ରଚାର କରିଥିଲେ। ଅନ୍ୟପଟେ ଭାଜପା ପ୍ରାର୍ଥୀ କୁନିଲତା ଜଣେ ନାରୀନେତ୍ରୀ। ପୂର୍ବରୁ ସେ ୩ଥର କାଉନସିଲର ଏବଂ ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ। କୁନିଲତା ଜନତାଙ୍କ ପ୍ରଥମ ପସନ୍ଦ ରହିଛନ୍ତି। ତେଣୁ ଭାଜପା ପୌର ଅଧ୍ୟକ୍ଷ ହାତେଇବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛତା ଆଗରେ ବିରୋଧୀଙ୍କ କୌଣସି ରଣନୀତି କାମ କରିବ ନାହିଁ। ଖୋର୍ଦ୍ଧା ପୌର ପରିଷଦ ପୁଣି ଥରେ ବିଜେଡି ବହୁମତରେ ଦଖଲ କରିବ ବୋଲି ବିଧାୟକ ସାହୁ କହିଛନ୍ତି।

Share