ଶୋଇଥିବା ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା

ଖମାର,୧୭ା୬ (ରଜନୀକାନ୍ତ ମହାରଣା) ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ବାରଣ୍ଡାରେ ଖଟ ପକାଇ ଶୋଇଥିବା ଜଣେ ଯୁବକଙ୍କୁ ଦଳିଦେଇଛି ହିଂସ୍ର ଦନ୍ତା। ଅନୁଗୋଳ ଜିଲା ପାଲଲହଡ଼ା ବନାଞ୍ଚଳ ଅଧୀନ ପେଚାମୁଣ୍ଡି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମୃତକ ହେଲେ ପବିତ୍ର ନାଏକ (୩୦)।
ପରିବାର ଲୋକଙ୍କ କହିବା କଥା, ପବିତ୍ର ରାତ୍ରଭୋଜନ ସାରି ଘରେ ଶୋଇଥିଲେ। ଅସହ୍ୟ ଗୁଳୁଗୁଳି ହେଉଥିବାରୁ ପରେ ବାରଣ୍ଡାରେ ଖଟ ପକାଇ ଶୋଇବାକୁ ଚାଲିଯାଇଥିଲେ। ବିଳମ୍ବିତ ରାତିରେ ନିକଟ ଜଙ୍ଗଲରୁ ଗଁାମୁହଁା ହୋଇଥିବା ଏକ ଦନ୍ତା ତାଙ୍କୁ ଟେକିନେଇ କଚାଡ଼ି ଦେବା ସହ ପାଦରେ ଦଳିଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକଙ୍କଠାରୁ ସୂଚନା ପାଇ ରେଞ୍ଜର ଦୁର୍ଯ୍ୟୋଧନ ଜରାଇ ବନ କର୍ମଚାରୀଙ୍କ ସହ ପହଞ୍ଚତ୍ ତଦନ୍ତ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପବିତ୍ରଙ୍କ ଶୁଦ୍ଧିକ୍ରିୟା ବାବଦକୁ ୪୦ ହଜାର ଟଙ୍କା ଦିଆଯାଇଛି। ମୃତକଙ୍କ ପରିବାରର ଜଣକୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ବିଧାୟକ ମୁକେଶ ପାଲ, ସ୍ଥାନୀୟ ସରପଞ୍ଚ ରମେଶ ପ୍ରଧାନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ପବିତ୍ରଙ୍କ ଏକ ୭ ବର୍ଷର ଝିଅ ଅଛନ୍ତି।

Share