ରକ୍ତମୁଖା ହେଲା ଦନ୍ତା: ଶୋଇଥିବାବେଳେ ଘରୁ ଘୋଷାଡି ଆଣି ମହିଳାଙ୍କୁ ଦଳିଦେଲା

ବାରିପଦା,୨୬।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଂଜ ଜିଲା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ଦନ୍ତା ଆକ୍ରମଣରେ ପୁଣି ଜଣକଙ୍କ ଜୀବନ ନେଇଛି। ରାତିରେ ଘରେ ପଶି ଶୋଇଥିବା ଜଣେ ମହିଳାଙ୍କୁ ଘୋଷାଡି ଆଣି ଘର ବାହାରେ କଚାଡି ମାରିଛି। ମୃତା ମହିଳା ଜଣକ ହେଉଛନ୍ତି ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା (୩୫)।
ସୂଚନାଯୋଗ୍ୟ, ଗାଁକୁ ବଣୁଆହାତୀ ଅନୁପ୍ରବେଶ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଘରୁ ନ ବାହାରିବାକୁ ଡାକବାଜି ଯନ୍ତ୍ରଦ୍ୱାରା ପ୍ରଚାରକରି ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା l ଗ୍ରାମବାସୀ ନିଜନିଜ ଘରେ ଶୋଇଥିବା ବେଳେ ବେତନଟୀ ରେଞ୍ଜ ଇଲାକାରେ ବିଚରଣ କରୁଥିବା ନରହନ୍ତା ଦନ୍ତା ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗ୍ରାମରେ ପ୍ରବେଶ କରିଥିଲା। ଗ୍ରାମର ତିନି ଚାରିଟି ଘର ଭାଙ୍ଗିବା ସହିତ ଘର ଭିତରେ ଶୋଇଥିବା ମାନକାଙ୍କୁ ଘୋଷାଡି ଆଣି ଘର ଅଗଣାରେ କଚାଡି ଦଳି ଦେଇଥିଲା l ପାଖରେ ଶୋଇଥିବା ସ୍ବାମୀ ସୀତାନାଥ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଗ୍ରାମରେ ଚହଳ ପଡିଯାଇଥିଲା l

ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି l ଗୁରୁବାର ସକାଳେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି l

ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତି ଭିତରେ ପଶି ଧନଜୀବନ ହାନୀ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହିଛି l ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ୪ ଜଣଙ୍କ ମୃତ୍ୟୁ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆସ୍ଥିତି ସୃଷ୍ଟି କରିଛି l