ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ, କୂଅ, ପୋଖରୀ ଓ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇବା ସହ ଶୁଖିବାକୁ ବସିଛି। ଏଭଳି ସ୍ଥଳେ ଅନେକ ଅଞ୍ଚଳରେ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ବିଶେଷ କରି ଜଙ୍ଗଲ ନିକଟ ଜଳଭଣ୍ଡାରର ଜଳସ୍ତର ହ୍ରାସ କାରଣରୁ ବନ୍ୟପ୍ରାଣୀ ପାଣି ପାଇଁ ସଂଘର୍ଷ କରୁଛନ୍ତି। ବିଶେଷ କରି ଜଙ୍ଗଲ ପଦା ଯୋଗୁ ବାସହରା ହୋଇ ଏଣେ ତେଣେ ବିଚରଣ କରୁଥିବା ବୃହତ୍‌ ବନ୍ୟପ୍ରାଣୀ ହାତୀ ପ୍ରବଳ ଗରମ ଓ ଜଳ ସଙ୍କଟ ଯୋଗୁ ନାନା ସମସ୍ୟା ଭୋଗୁଛନ୍ତି।
ବନ ବିଭାଗ ତଥ୍ୟ ଅନୁଯାୟୀ, ଗତ ଶନିବାର କେନ୍ଦୁଝର ଡିଭିଜନରେ ସମୁଦାୟ ୯୦ ହାତୀ ବିଭିନ୍ନ ଜଙ୍ଗଲରେ ରହୁଛନ୍ତି। ସେଥିରେ ୪୦ ମାଈ ହାତୀ ଥିବା ବେଳେ ୨୧ ଦନ୍ତା ଏବଂ ୨୯ ଛୁଆ ହାତୀ ରହିଥିବା ଜଣାପଡ଼ିଛି। କେନ୍ଦୁଝର ଡିଭିଜନର ସଦର, ବଡବିଲ ଓ ପାଟଣା ରେଞ୍ଜରେ ହାତୀ ନ ଥିବା ବେଳେ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଚରେ ଗୋଟିଏ ଦନ୍ତା ରହିଛି। ତେଲକୋଇ ରେଞ୍ଜ୍‌ରେ ୨ ଦଳରେ ୨୮ ହାତୀ, ଘଟଗାଁ ରେଞ୍ଜ୍‌ରେ ୨ ଦଳରେ ୧୩ ହାତୀ, ଚମ୍ପୁଆ ରେଞ୍ଜ୍‌ରେ ୨ ଦଳରେ ସର୍ବାଧିକ ୪୮ ହାତୀ ବିଚରଣ କରୁଥିବା ଜଣାପଡ଼ିଛି। ଅଧିକାଂଶ ହାତୀପଲ ପ୍ରବଳ ଗରମ ଓ ଜଳାଭାବ ଯୋଗୁ ନଦୀ ଓ ଜଳଭଣ୍ଡାର ନିକଟରେ ଆଶ୍ରୟ ନେଉଛନ୍ତି। ବିଶେଷ କରି ଚମ୍ପୁଆ ରେଞ୍ଜ୍‌ରେ ବୈତରଣୀ ଅବବାହିକାରେ ୨ ହାତୀପଲ ବିଚରଣ କରୁଥିବା ଜଣାପଡ଼ିଛି। ପ୍ରବଳ ଗରମ, ଜଳାଭାବ ଯୋଗୁ ଗୋଟିଏ ହାତୀପଲ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ୍‌ରୁ ଅନୁଗୋଳ ବନଖଣ୍ଡକୁ ଚାଲିଯାଇଥିବା ଜଣାପଡ଼ିଛି। ଗରମ ସାଙ୍ଗକୁ ଜଙ୍ଗଲ ନିଆଁ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଥିବାରୁ ହାତୀ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ବନ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ପୋଖରୀ ଖନନ କରାଯାଇଥିଲେ ହେଁ ବର୍ଷା ଅଭାବରୁ ସେସବୁରେ ପାଣି ଶୁଖିଯାଇଛି। ଫଳରେ ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ପାଣି ପାଇଁ ଜନବସତିମୁହାଁ ହେଉଛନ୍ତି। ଅନେକ ସମୟରେ ହରିଣ, ବାର୍‌ହା ଜଙ୍ଗଲରୁ ବାହାରି ଗାଁକୁ ଚାଲିଆସୁଛନ୍ତି। ବନ ବିଭାଗ ଏଥିପ୍ରତି ସତର୍କ ଦୃଷ୍ଟି ଦେବା ଜରୁରୀ ବୋଲି ପରିବେଶବିତ୍‌ ଦୁଷ୍କର ବାରିକ କହିଛନ୍ତି। କେନ୍ଦୁଝର ଡିଏଫ୍‌ଓ ଧନ୍‌ରାଜ ଏଚ୍‌ଡି କହିଛନ୍ତି, ଯଦିଓ ଏବେ ଜଳ ସମସ୍ୟା ଦେଖାଦେଇ ନାହିଁ ତେବେ ସେଭଳି ସମସ୍ୟା ଦେଖାଦେଲେ ଉପଯୁକ୍ତ ପଦକ୍ଷେପ ନିଆଯିବ।