ମାଧପୁର,୨୧ା୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଆଠମଲ୍ଲିକ ବନାଞ୍ଚଳ ପୁରୁଣା ମାଣତ୍ରି ପଞ୍ଚାୟତ ଅଧୀନ ରାଜିଙ୍ଗ ଗ୍ରାମରେ ଅଘଟଣ ଘଟିଛି। ଧାନବିଲ ଜଗିଥିବା ସମୟରେ ରବିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ହାବୁଡ଼ରେ ପଡ଼ି ଗ୍ରାମର ରମେଶ ସାହୁ (୪୦)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋମବାର ସକାଳେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଏବଂ ସମ୍ପର୍କୀୟଙ୍କ ପକ୍ଷରୁ ମୃତଦେହ ରଖି ଆଠମଲ୍ଲିକ କିଆକଟା ରାଜ୍ୟ ରାଜପଥକୁ ବନ୍ଦ କରି ଧାରଣା ଦେଇଛନ୍ତି। ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ କୌଣସି ଅଧିକାରୀ ଆସି ନ ଥିବା ଜଣାଯାଏ।