ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ମୋରଡ଼ା,୧୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବରେ ଧନଜୀବନ ହାନି ଘଟୁଥିବା ବେଳେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ବେଢାଝାଲ ଗ୍ରାମର ଅଧର କୁମାର ପାତ୍ର(୭୫) ରାସଗୋବିନ୍ଦପୁର ବ୍ଲକ ସ୍ଥିତ ସାରୁମୂଳା ଗ୍ରାମର ନିଜ ଝିଅ ଜ୍ୱାଇଁ ଘରକୁ ଆସିଥିବା ବେଳେ ଆଜି ଭୋର୍‌ ସମୟରେ ପ୍ରାତଃଭମଣ ପାଇଁ ଯାଉଥିଲେ। ତେବେ ପ୍ରାତଃଭ୍ରମଣ ସମୟରେ ସାରୁମୂଳା-ପାରୁଳିଆ ମୁଖ୍ୟ ରାସ୍ତାର ମାହାଲୀସାହି ନିକଟରେ ଅଧର ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ଉକ୍ତ ଦନ୍ତା ହାତୀଟି ଅଧରଙ୍କୁ କଚାଡ଼ି ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ରାସଗୋବିନ୍ଦପୁର ବନବିଭାଗ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଇଛି।
ଏନେଇ ଅଧରଙ୍କ ଝିଅ ପୂର୍ଣ୍ଣିମା ପାତ୍ର କହିଛନ୍ତି, ବାପା ଅଧରଙ୍କ ଦେହ ଅସୁସ୍ଥ ଥିବାରୁ ସେ ଚିକିତ୍ସା ପାଇଁ ଏଠାକୁ ଆସିଥିଲେ କିନ୍ତୁ ଏଠାରେ ଜୀବନ ହାରିଲେ। ସେହିପରି ଗ୍ରାମବାସୀ କାହ୍ନୁ ଚରଣ ପାତ୍ର ହାତୀ ଉପଦ୍ରବକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ହାତୀ ଉପଦ୍ରବ ରୋକିବାରେ ବନବିଭାଗ ବିଫଳ ହୋଇଛି ବୋଲି କହିଛନ୍ତି।