କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇରୁ ବାଇକ୍ରେ ଅନ୍ୟ ଦୁଇ ଜଣଙ୍କ ସହିତ ଗୋପୀନାଥ ଗ୍ରାମକୁ ଯାଉଥିବା ଜଣେ ଯୁବକଙ୍କୁ ଏକ ଦନ୍ତା ହାତୀ ଟାଣି ନେଇ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ମଦନମୋହନ ନାୟକ ଏବଂ ଘର ଆକୁଳ ମଲଣ୍ଡା ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଦୀର୍ଘ ବର୍ଷ ହେଲା ସିରିଗିଡ଼ା ପଞ୍ଚାୟତର ପୁରୁଷୋତ୍ତମପୁରରେ ରହୁଥିଲେ। ସେ ଅନ୍ୟ ଦୁଇ ଜଣଙ୍କ ସହିତ ଗୋପୀନାଥପୁର ଗ୍ରାମକୁ ବାଇକ୍ରେ ଯାଉଥିବା ବେଳେ ଚାରି କଣିଆ ଜଙ୍ଗଲ ରାସ୍ତାରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ସେମାନେ ପକାଇ ଯିବାକୁ ଉଦ୍ୟମ କରିଥିଲେ ହେଁ ହାତୀଟି ପଛରେ ବସିଥିବା ମୋହନଙ୍କୁ ଶୁଣ୍ଢରେ ଟାଣି ନେଇ ତଳେ କଚାଡ଼ି ପାଦରେ ଦଳି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଇକ୍ରେ ଥିବା ଅନ୍ୟ ଦୁଇ ଜଣ ବୁଧରାମ ମୁଣ୍ଡା ଓ ଦୀପକ ମୁଣ୍ଡା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ଡାକ୍ତରଖାନାକୁ ପଠାଇଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।