ଘରେ ଶୋଇଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ

ମୋରଡ଼ା,୧୬ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ପୁଇନ ଦେହୁରୀ।

ସୂଚନାନୁଯାୟୀ, ପୁଇନ ତାଙ୍କ ପରିବାର ଲୋକଙ୍କ ସହିତ ଶୋଇଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଦୁଇଟି ହାତୀ ତାଙ୍କ ଘରେ ପଶି ଉପଦ୍ରବ ଚଳାଇଥିଲେ। ତେବେ ହାତୀ ଆକ୍ରମଣ ଭୟରେ ପୁଇନ ତାଙ୍କ ପରିବାର ଲୋକଙ୍କ ସହିତ ଏଣେତେଣେ ଦୌଡ଼ି ପଳାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିବାରୁ ଦୁଇଟି ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
ଖବର ପାଇ, ବେତନଟୀ ରେଞ୍ଜର ମନଓ୍ବର ଖାନ,ଫରେଷ୍ଟର ଦୀପକ କୁମାର ପାତ୍ର, ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଇଛନ୍ତି। ତେବେ ପୁଇନଙ୍କ ପରିବାରକୁ ମୋଟ୍‌ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୦,୦୦୦ ଟଙ୍କାର କ୍ଷତି ପୂରଣ ମିଳିବ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟର ଦୀପକ କୁମାର ପାତ୍ର।

Share