Advertisement

ଆଖି ବୁଜିଲା ଚିକିତ୍ସାଧୀନ ହାତୀ

ଦେବଗଡ଼,୭ା୧୨(ଡି.ଏନ୍‌.ଏ)-ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅଧୀନ ବିରିୟାମ ଗ୍ରାମ ନାଳରେ ପଡି ଚିକିତ୍ସାଧୀନ ଥିବା ବୟସ୍କା ମାଈହାତୀ ସୋମବାର ଆଖି ବୁଜିଛି। ତିଲେଇବଣୀ ପ୍ରାଣୀ ଚିକିତ୍ସକ ସତ୍ୟବ୍ରତ ମିଶ୍ର ମୃତହାତୀର ବ୍ୟବଚ୍ଛେଦ କରିବା ପରେ ସେଠାରେ ଏକ ଗାତ ଖୋଳି ପୋତି ଦିଆଯାଇଥିବା ଜଣାପଡିଛି। ଏହି ସମୟରେ ଦେବଗଡ ଏସିଏଫ୍‌ (ୱାଇଲ୍ଡ ଲାଇଫ୍‌) ରଶ୍ମି ଚୌଧୁରୀ, ଦେବଗଡ ବନାଞ୍ଚଳ ଅଧିକାରୀ ଦେବଦତ୍ତ ନନ୍ଦ ଓ ଦେବଗଡ ଫରେଷ୍ଟର ପ୍ରସନ୍ନ କୁମାର ସାହୁ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତ ୩୦ ତାରିଖ ସନ୍ଧ୍ୟାରେ ଉକ୍ତ ମାଈହାତୀଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବିରିୟାମ ଗ୍ରାମକୁ ଚାଲିଆସିଥିଲା ଏବଂ ରାତିରେ ସେଠାରେ ଥିବା ଏକ ନାଳରେ ପଡିଯାଇ ଆଉ ଉଠି ପାରି ନ ଥିଲା ା ୧ ତାରିଖ ମଙ୍ଗଳବାର ସକାଳେ ସୂଚନା ପାଇ ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ସେଠାକୁ ଯାଇ ମେଶିନ ସାହାଯ୍ୟରେ ଉକ୍ତ ନାଳକୁ କାଟି ଜଳ ନିଷ୍କାସନ କରାଇଥିଲେ। ଏହାସହ ପ୍ରାଣୀ ଚିକିତ୍ସା ବିଭାଗ ଉପ ନିର୍ଦ୍ଦେଶକ ଡ. ନୀରୋଦ ଦାସ ଓ ଭିଏସ୍‌ ସତ୍ୟବ୍ରତ ମିଶ୍ର ହାତୀଟିର ଚିକିତ୍ସା କରିଥିଲେ। ସୋମବାର ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଥିଲା। ଉକ୍ତ ହାତୀର ବୟସ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ । କିଡ୍‌ନୀ ଓ ଲିଭରଜନିତ ରୋଗରେ ତା’ର ମୃତ୍ୟୁ ଘଟିଥିବା ଷଡଙ୍ଗୀ ପ୍ରକାଶ କରିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel