ଗାଁ ମୁହାଁ ହାତୀପଲ, ନଷ୍ଟକଲେ ଏକର ଏକର ଡାଳୁଅ ଧାନଚାଷ

ମାଧପୁର,୯ା୪(ଡି.ଏନ୍‌.ଏ.): ଆଠମଲ୍ଲିକ ବନଖଣ୍ଡ ଅଧୀନ ମାଧପୁର ବନାଞ୍ଚଳ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ୧୨ଟି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଅମଳ ମୁହାଁ ଚାଷଜମି ଭିତରକୁ ଧସେଇ ପଶି ମାଡ଼ି ଦଳି ନଷ୍ଟ କରିଦେଇଥିବାରୁ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ଏହା ବ୍ୟତୀତ ପିଆଜ, ମାଖନ ଏବଂ ଭେଣ୍ଡି ଚାଷକୁ ମଧ୍ୟ ନଷ୍ଟ କରିଥିବା ଜଣାଯାଇଛି। ଅଞ୍ଚଳରେ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଥିବାରୁ ଦଣ୍ଡଯାତ୍ରା ଦେଖିବା ପାଇଁ ଆସୁଥିବା କିଛି ଲୋକ ହାତୀପଲଙ୍କୁ ଦେଖିଥିଲେ। ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହେଇଥିବାରୁ ବିଭାଗ ବିଷୟକୁ ଗୁରୁତର ସହିତ ନେଇ ହାତୀପଲଙ୍କୁ ଘଉଡ଼ାଇବାର ବ୍ୟବସ୍ଥା କରି ଉଚିତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ମାଧପୁର ରେଞ୍ଜର ସନ୍ତୋଷ କୁମାର ଭୋଇଙ୍କ ସହିତ ଯୋଗାଯୋଗ କରିବାରୁ ହାତୀ ଘଉଡ଼ାଇବାର ବ୍ୟବସ୍ଥା ହେଉଛି ଏବଂ କ୍ଷତିପୂରଣ ପାଇଁ ଅନ୍‌ଲାଇନରେ ଆବେଦନ କରିବାକୁ ସୂଚନା ଦେଇଛନ୍ତି।

Share