କେନ୍ଦୁଝର,୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ଲିଫ୍ଟ ଅଚଳ ଯୋଗୁ ରୋଗୀ ହିନସ୍ତା ହେଉଛନ୍ତି। ବିଶେଷ କରି ବୃଦ୍ଧା/ବୃଦ୍ଧ, ଶାରିରୀକ ଭିନ୍ନକ୍ଷମ ରୋଗୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଶତବାର୍ଷିକୀ କୋଠାରେ ୪ଟି ଓ ମହିଳା ଶିଶୁ ୱାର୍ଡରେ ୨ଟି ଲିଫ୍ଟ ଲଗାଯାଇଛି। ତେବେ ଗତ କିଛି ମାସ ହେବ ଶତବାର୍ଷିକ କୋଠାର ୩ଟି ଏବଂ ମହିଳା ଓ ଶିଶୁ ୱାର୍ଡର ଗୋଟିଏ ଲିଫ୍ଟ ଅଚଳ ହୋଇ ଥିବାରୁ ରୋଗୀମାନେ ଉପର ମହଲାକୁ ଯିବା ଆସିବା କରି ପାରୁନାହାନ୍ତି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ସଂସ୍ଥା ମରାମତି କରୁନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ତଦାରଖ ଅଭାବରୁ ଏଭଳି ନାନା ସମସ୍ୟା ଦେଖାଦେଉଥିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମହଲରେ ଅସନ୍ତୋଷ ଦେଖାଦେଉଛି।