କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଉନାହିଁ। ପ୍ରତିବର୍ଷ ଜିଲାର ୫୫ ପଞ୍ଚାୟତରେ ବନ୍ୟା ଜଳ ପଶୁଛି। ରାଜକନିକା, ଆଳି ଓ ଗରଦପୁର ବ୍ଲକ ଅଞ୍ଚଳର ସର୍ବାଧିକ କ୍ଷତି ହେଉଥିବା ବେଳେ ଫସଲ, ରାସ୍ତା, ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ନଦୀବନ୍ଧ ସୁଦୃଢ଼ ନ ଥିବାରୁ ଆଳିର ୧୬ ପଞ୍ଚାୟତ, ପଟ୍ଟାମୁଣ୍ଡାଇର ୧୪, ରାଜନଗରର ୪, ମାର୍ଶାଘାଇର ୯, ଡେରାବିଶର ୨, ମହାକାଳପଡ଼ାର ୯ ଓ ଗରଦପୁର ବ୍ଲକ ଅଞ୍ଚଳରେ ବନ୍ୟାଜଳ ମାଡ଼ିଯାଉଛି। ଏପରି ଅଭିଯୋଗ ଚଳିତ ସାଧାରଣ ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଘୂରି ବୁଲିଛି। ରାଜନେତା ଓ ପ୍ରଶାସକଙ୍କ କାର୍ଯ୍ୟଦକ୍ଷତାକୁ ଏହି ପୋଷ୍ଟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଜିଲାରେ ଉଦ୍ବୃତ୍ତ ବର୍ଷା ଓ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ଏକ ବଡ଼ ସମସ୍ୟା ହୋଇଛି। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ନଦୀରେ ସାମାନ୍ୟ ଅଧିକ ପାଣି ଜିଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ନଦୀବନ୍ଧର ସୁଦୃଢ଼ୀକରଣ ସହ ନିଷ୍କାସନ ପଥ ବର୍ଷାଋତୁ ପୂର୍ବରୁ ସଫା ରଖିବା ଆବଶ୍ୟକ। ଇତିମଧ୍ୟରେ କେନ୍ଦ୍ରାପଡ଼ା ଜିଲା ମାନ୍ୟତାକୁ ୨୮ ବର୍ଷ ବିତିଛି। ବନ୍ୟାଜଳ ନିଷ୍କାସନ ପାଇଁ ଅଦ୍ୟାବଧି କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ସୂର୍ଯ୍ୟପ୍ରକାଶ ପାଣି କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ। ସାମାନ୍ୟ ବର୍ଷା ଅଧିକ ହେଲେ ଜିଲାର ୧୬୦ ଗ୍ରାମରେ ବନ୍ୟାଜଳ ପ୍ରବେଶ କରୁଛି। ବିଶେଷ ଭାବେ ରାଜକନିକା ଓ ଆଳି ବ୍ଲକ ଅଞ୍ଚଳର ସର୍ବାଧିକ ୫୦ ଗଁା ବନ୍ୟା ଯୋଗୁ ପ୍ରଭାବିତ ହେଉଛନ୍ତି। ସେହିପରି ରାଜନଗରର ୩୪ ଗଁା, ପଟ୍ଟାମୁଣ୍ଡାଇର ୨୫ ଗଁା ବନ୍ୟା ଘେରରେ ରହୁଥିବା ବେଳେ ମହାକାଳପଡ଼ା, ମାର୍ଶାଘାଇ, ଡେରାବିଶ, ଗରଦପୁର ବ୍ଲକ ଅଞ୍ଚଳର କେତେଗୋଟି ଗ୍ରାମ ପ୍ରଭାବିତ ହେଉଛି। ଅତ୍ୟଧିକ ବନ୍ୟା ଆସିଲେ ଗରଦପୁର ବ୍ଲକ ଅଞ୍ଚଳର ୫ ଗଁାର ଜନଜୀବନକୁ ବ୍ୟତିବ୍ୟସ୍ତ କରୁଛି। ଚାଷ ଉଜୁଡ଼ିବା ସହ ଅନେକ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ନଦୀଶଯ୍ୟା ଖନନ, ବନ୍ଧବାଡ଼ର ମରାମତି ସହ ନୂତନ ବନ୍ଧର ଆବଶ୍ୟକତା ଅଛି। ସାମାଜିକ କର୍ମୀ ବିଭୂତି ଭୂଷଣ ରାଉତ କହିଛନ୍ତି, ଗୋବରୀ ନଦୀରେ ବନ୍ଧ ନାହିଁ। ଏହି ନଦୀ କୂଳରେ ଘର ଓ ଗ୍ରାମ ରହିଛି। ବର୍ଷାଋତୁରେ ନଦୀରୁ ପାଣି ଉଛୁଳି ଘରେ ପଶୁଛି। କୁମ୍ଭୀର ଭୟ ଥିବାରୁ ଗ୍ରାମବାସୀ ସର୍ବଦା ଭୟଭୀତ ହୋଇଥାନ୍ତି। ଏ ନେଇ ସ୍ଥାନୀୟ ଅଧିବାସୀ ରାଜନେତା ଓ ଜିଲା ପ୍ରଶାସନ ନିକଟରେ ବନ୍ଧ ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏହି ସମସ୍ୟାର ସମାଧାନ ହେଉନାହିଁ। ପରିବେଶବିତ୍ ଅଧ୍ୟାପକ କ୍ଷିତୀଶ କୁମାର ସିଂହ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ନଦୀ ସଂଯୋଗୀକରଣକୁ ଜିଲାବାସୀ ଅଗ୍ରାଧିକାର ଦେଇଛନ୍ତି। ନଦୀର ମଧୁରଜଳକୁ ସମୁଦ୍ରକୁ ନିର୍ଦ୍ଦିଷ୍ଟ ମାତ୍ରାରେ ଛାଡ଼ି ଅବଶିଷ୍ଟକୁ ପାନୀୟ ଓ କ୍ଷେତରେ ବ୍ୟବହାର କରିହେବ। ବିଭିନ୍ନ ସ୍ଥାନରେ କ୍ରିକ୍ ବନ୍ଧ ସହ ବନ୍ୟାକୁ ରୋକିବା ପାଇଁ ନଦୀବନ୍ଧ ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିସହ କ୍ଷେତରୁ ଉଦ୍ବୃତ୍ତ ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ରାଜନେତାଙ୍କର ଏହି ସ୍ଥାନୀୟ ସମସ୍ୟା ପ୍ରତି ଧ୍ୟାନ ରହୁ ନ ଥିବା ସେ ମତ ଦେଇଛନ୍ତି।