ଛେରାପହଁରା ନୀତି ଶେଷ: ଏବେ ଗଡିବ ରଥ

ପୁରୀ ଅଫିସ୍‌,୧୨।୭: ଶେଷ ହେଲା ତିନି ଠାକୁରଙ୍କ ଛେରାପହଁରା ନୀତି। ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା ନୀତି କରିବାକୁ ଶ୍ରୀନଅରରୁ ତାମ୍‌ଜାନ୍‌ ବସି ଗଜପତି ମହାରାଜ ରଥ ଖଳାକୁ ଆସିଥିଲେ। ରାଜବେଶରେ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ ରଥରେ ଛେରାପହଁରା ନୀତି ସମ୍ପାଦନ କରିଥିଲେ। ଏବେ ତିନି ରଥରେ ଘୋଡା ଏବଂ ଦଉଡି ବନ୍ଧା କାର୍ଯ୍ୟ ଚାଲିଛି। ଏହାପୂର୍ବରୁ ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ରଥ ବିଜେ କରିଥିଲେ। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂ ହେବା ପରେ ଶ୍ରୀବଳଭଦ୍ର ଓ ପରେ ହେଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି। ପରେ ଶେଷରେ ପହଣ୍ଡିରେ ଆସିଥିଲେ କାଳିଆ ସାଆନ୍ତ।
ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟ ଘୋଷଯାତ୍ରା ପାଇଁ ବି ପୋଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ବତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

 

Share