କରୋନାର ଅନ୍ତ କେବେ

ଡା. ଗୋପାଳ ଚନ୍ଦ୍ର ଦାଶ

ଡିସେମ୍ବର ୨୦୧୯ରୁ ଚାଇନାର ଉହାନ ସହରରୁ ସୃଷ୍ଟି ହୋଇଥିବା ଭୂତାଣୁଜନିତ ରୋଗ କରୋନା ମହାମାରୀର ପ୍ରଭାବ ବିଗତ ଦେଢ଼ ବର୍ଷ ହେଲା ବିଶ୍ୱରେ ଚାଲୁରହିଛି। ନିୟମିତ ବ୍ୟବଧାନରେ ସଂକ୍ରମଣର ଲହର ଆସୁଛି ଓ ଭୂତାଣୁ ନିୟମିତ ଭାବରେ ତାହାର ଗୁଣସୂତ୍ର ପରିବର୍ତ୍ତନ କରୁଛି। ଫଳସ୍ବରୂପ ମନୁଷ୍ୟ ଶରୀରରେ ଏହାର ରୋଗ ସୃଷ୍ଟି କରିବା ପ୍ରକ୍ରିୟା ସମ୍ବନ୍ଧରେ ବିଶେଷଜ୍ଞମାନେ ଠିକ୍‌ ଜାଣି ନ ପାରିବାରୁ ଉପଚାର ଜଟିଳ ହେଉଛି। ଇତିମଧ୍ୟରେ ଆଲ୍‌ଫା, ବିଟା, ଗାମା ଓ ଡେଲ୍‌ଟା ପ୍ରଜାତିର ଭୂତାଣୁ ଦେଖାଦେଇଛି। ରୋଗ ପ୍ରାଦୁର୍ଭାବ ଓ ମୃତ୍ୟୁ ହାରକୁ ରୋକିବା ପାଇଁ କରୋନା ଟିକାର ଆପାତକାଳୀନ ବ୍ୟବହାର ପାଇଁ ବିଶ୍ୱର ଅନେକ ରାଷ୍ଟ୍ର ଅନୁମୋଦନ କରିଛନ୍ତି। ଏପରିକି ଆୟୁର୍ବେଦ ଓ ଏଲୋପାଥିକ ଚିକିତ୍ସକମାନେ ନିଜ ନିଜର ଚିକିତ୍ସା ପଦ୍ଧତିକୁ ସର୍ବଶ୍ରେଷ୍ଠ ବୋଲି ପ୍ରତିପାଦନ କଲେ। ପରସ୍ପର ପ୍ରତି ପ୍ରତିକୂଳ ମନ୍ତବ୍ୟ ତୀବ୍ର ସ୍ତରରେ ପହଞ୍ଚିବା ଦ୍ୱାରା ଉଭୟ ପକ୍ଷ ଅଦାଲତର ଦ୍ୱାରସ୍ଥ ହେଲେ। ଏଠାରେ ମନେରଖିବା ଉଚିତ ଯେ ଚିକିତ୍ସା ପଦ୍ଧତି ଯାହା ହେଉନା କାହିଁକି ଏହା ରୋଗୀର ଆରୋଗ୍ୟ ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ପରସ୍ପର ପ୍ରତି ବିରୋଧାତ୍ମକ ମନୋଭାବ ରାଷ୍ଟ୍ରର ହିତକାରକ ନୁହେଁ।
ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ କୌଣସି ରୋଗର ସଫଳ ଉପଚାର ପ୍ରାରମ୍ଭିକ ଅବସ୍ଥାରେ ଜାଣିବା କଷ୍ଟକର ହୋଇଥାଏ। ସମୟକ୍ରମେ ରୋଗ ଉପରେ ଗବେଷଣା ଦ୍ୱାରା ଠିକ୍‌ ଉପଚାରର ମାର୍ଗ ଉପଲବ୍ଧ ହୁଏ। ଏହି ଅବସ୍ଥା ବର୍ତ୍ତମାନ କରୋନା ରୋଗରେ ଦେଖିବାକୁ ମିଳୁଛି। କେତେଗୋଟି ଦୃଷ୍ଟାନ୍ତ ଏଠାରେ ଦିଆଯାଇପାରେ।
ଖ୍ରୀଷ୍ଟପୂର୍ବ ୨୫୦୦ ମସିହା ପୂର୍ବେ ଯେତେବେଳେ ଯକ୍ଷ୍ମା ରୋଗର ପ୍ରାଦୁର୍ଭାବ ହେଲା, ସେତେବେଳେ ଏହା ଏକ ବ୍ୟାକ୍ଟେରିଆଜନିତ ରୋଗ ବୋଲି ଜଣା ନ ଥିଲା। ଉପଚାର ରୂପେ ରୋଗୀର ଛାତିକୁ କଣା କରିଦିଆଯାଇ ସଂକ୍ରମିତ ଫୁସ୍‌ଫୁସ୍‌କୁ ଅକାମୀ କରିଦିଆଯାଉଥିଲା। ସଂକ୍ରମିତ ରୋଗୀକୁ ଟିବି ନାସିଟୋରିଅମରେ ଅଲଗା କରି ରଖାଯାଉଥିଲା। ମାର୍ଚ୍ଚ ୧୮୮୨ରେ ରବଟ୍‌ କକ୍‌ଙ୍କ ଦ୍ୱାରା ଟିବି ବାସିଲ୍‌ସର ଆବିଷ୍କାର ଦ୍ୱାରା ଏହା ଏକ ବ୍ୟାକ୍ଟେରିଆଜନିତ ସଂକ୍ରମିତ ରୋଗ ବୋଲି ଜଣାପଡ଼ିଲା। ୧୯୪୩ର ସ୍ପେପ୍ଟୋମାଇସିନ୍‌ର ଉଦ୍ଭାବନ ଦ୍ୱାରା ଏହି ରୋଗର ଠିକ୍‌ ଉପଚାର ଆରମ୍ଭ ହେଲା। ଦୀର୍ଘ ୧୩ ବର୍ଷର ଗବେଷଣା ପରେ ୧୯୨୧ରେ ଫ୍ରାନ୍ସ ବୈଜ୍ଞାନିକ ଆଲବର୍ଟ କାଲ୍‌ମିଟ୍‌ ଓ କ୍ୟାମିଲ ଗୁରିନ ଟିବି ରୋଗ ପାଇଁ ବିସିଜି ଟିକା ଉଦ୍ଭାବନ କଲେ। ବର୍ତ୍ତମାନ ଟିବି ରୋଗ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ। ଆୟୁର୍ବେଦରେ ଖ୍ରୀ:ପୂ: ୧୪୦୦ ଶତାବ୍ଦୀରେ କୁଷ୍ଠ ରୋଗର ପ୍ରମାଣ ମିଳେ। ରୋଗର କାରଣ ଜଣା ନ ଥିବାରୁ ରୋଗୀକୁ ଲେପ୍ରୋସି ହୋମ୍‌ରେ ଅଲଗା ରଖାଯାଉଥିଲା। ନରଓ୍ବେର ବୈଜ୍ଞାନିକ ଆର୍ମାୟୁର ହାନ୍‌ସେନ ୧୮୭୩ରେ କୁଷ୍ଠ ରୋଗ ସୃଷ୍ଟି କରୁଥିବା ଲେପ୍ରା ବାସିଲ୍‌ସକୁ ଆବିଷ୍କାର କଲେ। ଏହା ଏକ ବ୍ୟାକ୍ଟେରିଆଜନିତ ରୋଗ ଜାଣିବା ପରେ ଉପଚାର ପାଇଁ ଡାପସନ୍‌ ଔଷଧର ପରୀକ୍ଷାମୂଳକ ବ୍ୟବହାର କରାଗଲା। ବର୍ତ୍ତମାନ ଏହି ରୋଗର ସଫଳ ଉପଚାର ବିଭିନ୍ନ ଆଧୁନିକ ଔଷଧ ଦ୍ୱାରା କରାଯାଇପାରୁଛି। ଲେପ୍ରୋସି ରୋଗର ଟିକା ପାଇଁ ବର୍ତ୍ତମାନ ସୁଦ୍ଧା ଗବେଷଣା ଚାଲୁରହିଛି।
ଚିକିତ୍ସା ବିଜ୍ଞାନର ଇତିହାସରୁ ଜଣାପଡ଼େ, ମ୍ୟାଲେରିଆ ରୋଗ ଖ୍ରୀ.ପୂ.୨୭୦୦ରୁ ଚାଇନାରେ, ଖ୍ରୀ.ପୂ. ୨୦୦୦ରୁ ମେସୋପଟାମିଆରେ, ଖ୍ରୀ.ପୂ. ୧୫୭୦ରୁ ଇଜିପ୍ଟରେ ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରୁ ଭାରତରେ ଦେଖାଯାଇଥିଲା। ମ୍ୟାଲେରିଆ ଶବ୍ଦର ଅର୍ଥ ଖରାପ ବାୟୁ। ଏହି ଶବ୍ଦ ଇଟାଲୀରୁ ଆସିଛି। ସେତେବେଳେ ଧାରଣା ଥିଲା ଯେ ମ୍ୟାଲେରିଆ ରୋଗ ଖରାପ ବାୟୁ ଯୋଗୁ ସୃଷ୍ଟି ହେଉଛି। ରୋନାଲ୍‌ଡ ରସ୍‌ ନାମକ ଜଣେ ବ୍ରିଟିଶ୍‌ ଡାକ୍ତର ୧୮୯୭ରେ ମଶା ପେଟରୁ ମ୍ୟାଲେରିଆ ରୋଗର ପରଜୀବୀକୁ ଆବିଷ୍କାର କରି ସିଦ୍ଧ କଲେ ଯେ ଏହି ରୋଗ ଦୂଷିତ ବାୟୁରୁ ନୁହେଁ ବରଂ ମଶା କାମୁଡାରୁ ସଂକ୍ରମିତ ହେଉଛି। ଦୁଇଜଣ ଫ୍ରେଞ୍ଚ କେମିଷ୍ଟ ୧୮୨୦ରେ ସିନ୍‌କୋନା ଗଛର ବଳ୍କଳରୁ କୁଇନାଇନ୍‌ର ଆବିଷ୍କାର କରିବା ଦ୍ୱାରା ମ୍ୟାଲେରିଆ ରୋଗର ସଫଳ ଉପଚାର ହୋଇପାରିଲା।
କରୋନା ପରି ଏଡ୍‌ସ ମହାମାରୀ ୧୯୧୮ରୁ ଦେଖାଦେଇଥିବା ବେଳେ ଏପର୍ଯ୍ୟନ୍ତ ଏହାର ଟିକା ଉପଲବ୍ଧ ହୋଇପାରି ନାହିଁ। ବସନ୍ତ, ମିଳିମିଳା ଓ ହାଡ଼ଫୁଟି ଆଦି ରୋଗକୁ ଠାକୁରାଣୀ ଭାବି ପୂଜା କରାଯାଉଥିଲା। ରୋଗ ସମ୍ବନ୍ଧରେ ପ୍ରକୃତ ତଥ୍ୟ ଆବିଷ୍କାର ପରେ ଏହାର ଉପଚାର ସମ୍ଭବ ହୋଇପାରିଲା। ବ୍ରିଟିଶ୍‌ ଡାକ୍ତର ଏଡ୍‌ଓ୍ବାଡ୍‌ ଜେନର ୧୭୭୬ରେ ବସନ୍ତ ରୋଗର ଟିକା ଉଦ୍ଭାବନ କରିବା ଫଳରେ ସଫଳ ଟିକାକରଣ ଦ୍ୱାରା ୧୯୮୦ରୁ ବସନ୍ତ ସମଗ୍ର ବିଶ୍ୱରୁ ଲୋପ ପାଇଲା। ତେଣୁ ଜାଣିରଖିବା ଉଚିତ କୌଣସି ଏକ ରୋଗର ଟିକା ବଜାରରେ ଉପଲବ୍ଧ ହେବା ପୂର୍ବରୁ ଅତିକମ୍‌ରେ ତିନି ସ୍ତରରେ ପରୀକ୍ଷା କରାଯାଇଥାଏ। ସେଥିପାଇଁ ୮ରୁ ୧୦ ବର୍ଷ ସମୟ ଲାଗିଥାଏ। ଯେଉଁ ଟିକା ଯେତେ ଅଧିକ ବ୍ୟକ୍ତିଙ୍କଠାରେ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଇଥାଏ, ସେହି ଟିକାର ସଫଳତା ସେତେ ଅଧିକ ବୋଲି ଜଣାଯାଏ। ବର୍ତ୍ତମାନ ସୁଦ୍ଧା କରୋନା ଟିକା ଉପରେ ଗବେଷଣା ଚାଲୁ ରହିଛି। ଭାରତରେ ଉପଲବ୍ଧ କରୋନା ଟିକାର ସଫଳତା ଉତ୍ସାହଜନକ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଃସନ୍ଦେହରେ ଟିକା ନେବା ଦରକାର। ପ୍ରତ୍ୟେକ ଔଷଧ ଓ ଟିକାର କିଛିମାତ୍ରାରେ ପାର୍ଶ୍ୱପ୍ରତିକ୍ରିୟା ଥାଏ। ମାତ୍ର ସଫଳତା ତୁଳନାରେ ଏହା ଅତି ନଗଣ୍ୟ। ତେଣୁ ଟିକାର ପାର୍ଶ୍ୱପ୍ରତିକ୍ରିୟା ପ୍ରତି ବିଚଳିତ ହେବା ଅନାବଶ୍ୟକ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri