ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି ମହେଶ ସାହୁ ଅଧ୍ୟକ୍ଷତା କରିବା ସହ ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ସରିବା ନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି କହିଥିଲେ। ତୁରନ୍ତ ଡାଇଭରଶନ ରୋଡ୍‌ଗୁଡିକୁ ମରାମତି, ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିବା ଉପରେ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ଓ କର୍ମଚାରୀମାନେ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ଏମ୍‌ପି କହିଥିଲେ। ବିଶେଷକରି ଅନୁଗୋଳ, ନୂଆହତା ଓ ବଅଁରପାଳ ମଧ୍ୟରେ ରାସ୍ତା ତୁରନ୍ତ ମରାମତି ନ ହେଲେ ଗାଡ଼ି ଚଳାଚଳ ବନ୍ଦ କରିଦିଆଯିବ ବୋଲି ଏମ୍‌ପି ଚେତାବନୀ ଦେଇଥିଲେ। ସେହିପରି ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଗୁଡିକର ମରାମତି ପାଇଁ ସପ୍ତାହକ ମଧ୍ୟରେ ବ୍ୟୟ ଅଟକଳ କରି ଅର୍ଥ ମଞ୍ଜୁର କରିବା ଉପରେ ପଦକ୍ଷେପ ନେବା ପାଇଁ ଏମ୍‌ପି ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜପଥ କଡରେ ଥିବା ବିଭିନ୍ନ କଳକାରଖାନା ଯୋଗୁ ଭାରିଯାନଗୁଡିକ ରାସ୍ତାପାର୍ଶ୍ୱରେ ବହୁଦିନ ଧରି ପାର୍କିଂ କରୁଥିବାରୁ ଏହା ଦୁର୍ଘଟଣାର ଏକ ପ୍ରମୁଖ କାରଣ ସାଜିଛି। ଏଥିପାଇଁ କାରଖାନା କର୍ତ୍ତୃପକ୍ଷମାନେ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରନ୍ତୁ ବୋଲି ବିଧାୟକ ସୁଧୀର କୁମାର ସାମଲ ପ୍ରସ୍ତାବ ଦେଇଥିଲେ। ସେହିପରି ଗୁଡିଆକାଟେଣୀରୁ ମେରାମଣ୍ଡଳି ମଧ୍ୟରେ ୪ଟି କଲଭର୍ଟ କାମ ଆରମ୍ଭ ହୋଇ ନ ଥିବାରୁ ଜିଲାପାଳ ମନୋରଞ୍ଜନ ମଲ୍ଲିକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଏବଂ ଡାଇଭରଶନ ରୋଡ୍‌ ବିପଦସଙ୍କୁଳ ଯୋଗୁ ଦୁର୍ଘଟଣା ବଢୁଥିବାରୁ ଠିକାଦାରଙ୍କୁ ସତର୍କ କରାଇ ଦେବା ପାଇଁ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଥିଲେ। ଜାତୀୟ ରାଜପଥରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ପର୍ଯ୍ୟନ୍ତ ଚିହ୍ନଟ ଜାଗାରେ ତୁରନ୍ତ ରାସ୍ତା କାର୍ଯ୍ୟ କରିବା ପାଇଁ ପୂର୍ତ୍ତ ବିଭାଗକୁ ଏମ୍‌ପି, ବିଧାୟକ ଓ ଜିଲାପାଳ କହିଥିଲେ। ବୈଠକରେ ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ପ୍ରମୁଖ ନିଜସ୍ବ ମତ ଉପସ୍ଥାପନ କରିଥିଲେ। ୨୦୨୨ ନଭେମ୍ବର ମଧ୍ୟରେ ଏବଂ ୨୦୨୩ ନଭେମ୍ବର ମଧ୍ୟରେ ଘଟିଥିବା ଦୁର୍ଘଟଣାର ଅନୁଧ୍ୟାନ କଲେ ମୃତ୍ୟୁହାର ୭.୯୭ ପ୍ରତିଶତ କମିଥିବା ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ସୂଚନା ଦେଇଥିଲେ। ଏହି ବୈଠକରେ ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ, ଢେଙ୍କାନାଳ ଉପଜିଲାପାଳ ସପନ କୁମାର ନନ୍ଦ, ଏମ୍‌ଭିଆଇ ଦେବାଶିଷ ସ୍ବାଇଁ ପ୍ରମୁଖଙ୍କ ସମେତ ସଡ଼କ ସୁରକ୍ଷା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Share