ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି ବିବେଚିତ ହୋଇଥିଲା। ଏହି ରିପୋର୍ଟର ସତ୍ୟତା ଉପରେ ସନ୍ଦେହ ଏଇଥିପାଇଁ ରହୁ ନାହିଁ ଯେ ଦିଲ୍ଲୀରେ ଦେଖାଦେଇଥିବା ପ୍ରଦୂଷଣ ସବୁ ସୀମା ଟପି ସାରିଲାଣି। ଏବେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସବୁଦିନ ବାଣ ବନ୍ଦ କରିବା ନେଇ ଦିଲ୍ଲୀ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ଏଥିସହିତ ପ୍ରଦୂଷଣକୁ ବଢ଼ାଇବା ଭଳି କୌଣସି କାର୍ଯ୍ୟକୁ ଧର୍ମ ପ୍ରୋତ୍ସାହିତ କରେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ୨୦୨୪ ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ବାଣ ଉତ୍ପାଦନ ଓ ବିକ୍ରି ଉପରେ କଟକଣା ଲାଗୁ କରିଥିଲେ ମଧ୍ୟ ସେ ଦିଗରେ ସେଭଳି ସଫଳତା ନ ମିଳିବାରୁ କୋର୍ଟ ବର୍ତ୍ତମାନ ପୋଲିସ କାର୍ଯ୍ୟ କେବଳ ଲୋକଦେଖାଣିଆ ବୋଲି କହି ଭର୍ତ୍ସନା କରିଛନ୍ତି।
ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ସୁପ୍ରିମକୋର୍ଟଙ୍କ ରାୟ ଉତ୍ସାହଜନକ। କିନ୍ତୁ ସର୍ବଦା ନାଗରିକଙ୍କ ତ୍ରୁଟିକୁ ଲକ୍ଷ୍ୟ କରାଯାଇ ଦିଆଯାଉଥିବା ନିର୍ଦ୍ଦେଶ ସାଧାରଣରେ ଗ୍ରହଣୀୟ ହୋଇପାରୁ ନାହିଁ। ଦୀପାବଳିରେ ବାଣଫୁଟା ହେଉ ବା ବିବାହ ବ୍ରତ ଭଳି କୌଣସି ସାମାଜିକ କାର୍ଯ୍ୟରେ ଆତସବାଜି କାର୍ଯ୍ୟକ୍ରମ ଯେତିକି ବାୟୁ ପ୍ରଦୂଷଣ କରିଥାଏ, ତାହାଠାରୁ କାହିଁ କେତେ ଗୁଣରେ କଳକାରଖାନା, ଯାନବାହନ, ନିର୍ମାଣ କାର୍ଯ୍ୟ, ବର୍ଜ୍ୟଠୁଳ ଓ ପୋଡ଼ିରୁ ନିର୍ଗତ ଧୂଆଁଧୂଳି ଏବଂ ବିଷାକ୍ତ ଗ୍ୟାସ ଯୋଗୁ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏପରିକି ବିମାନ ଚଳାଚଳରେ ମଧ୍ୟ ପ୍ରଦୂଷଣ ଘଟୁଥିବା ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣ ରହିଛି। ପୂର୍ବରୁ ଦିଲ୍ଲୀ ଓ ଏହାର ଆଖପାଖ ରାଜ୍ୟରେ ଖୁଣ୍ଟା ପୋଡ଼ି ଯୋଗୁ ପ୍ରଦୂଷଣ ବଢ଼ୁଛି ବୋଲି ଯେଉଁ ଦୋଷ ଦିଆଯାଇ ଆସୁଥିଲା, ତାହା ଏଥର କମିଯାଇଥିଲେ ମଧ୍ୟ ବାୟୁ ପ୍ରଦୂଷଣ ସୁଧୁରି ନାହିଁ। ଅକ୍ଟୋବର ୨୦୨୪ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟରୁ ଜଣାପଡ଼ିଛି ଯେ, ଦିଲ୍ଲୀ ବାୟୁ ପ୍ରଦୂଷଣର ୧%ରୁ ସାମାନ୍ୟ ଅଧିକ ଖୁଣ୍ଟା ପୋଡ଼ି ଯୋଗୁ ଘଟୁଛି। ଏହି ପରିସଂଖ୍ୟାନକୁ ଦେଖିଲେ ଦିଲ୍ଲୀ ପ୍ରଦୂଷଣ ପଛରେ ଶିଳ୍ପ, ନିର୍ମାଣ କ୍ଷେତ୍ର ଏବଂ ଜୀବାଶ୍ମ ଇନ୍ଧନ ଚାଳିତ ଯାନର ବଡ଼ ଭୂମିକା ରହୁଛି। ପ୍ରଦୂଷଣକାରୀ ଶିଳ୍ପ ମଧ୍ୟରେ ରହୁଛି ଦିଲ୍ଲୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଲୁଥିବା ବଦରପୁର ଭଳି ୧୧ଟି କୋଇଲାଚାଳିତ ବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର ଓ ଅନ୍ୟାନ୍ୟ କଳକାରଖାନା। ଏହାବ୍ୟତୀତ ମାର୍ଚ୍ଚ ୨୦୨୩ ସୁଦ୍ଧା ଦିଲ୍ଲୀରେ ପଞ୍ଜୀକୃତ ଯାନ ସଂଖ୍ୟା ପାଖାପାଖି ୧.୨ କୋଟିରୁ ଅଧିକ ଥିବାବେଳେ ବିଦ୍ୟୁତ୍‌ ଚାଳିତ ଯାନ ସଂଖ୍ୟା ଥିଲା ୧.୨୪ ଲକ୍ଷ। ଅର୍ଥାତ୍‌ ଜୀବାଶ୍ମ ଇନ୍ଧନଚାଳିତ ଗାଡ଼ି ସର୍ବାଧିକ ପ୍ରଦୂଷଣ କରୁଛି। ଦିଲ୍ଲୀର ସେଣ୍ଟର ଅଫ୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟର ରିପୋର୍ଟରୁ ଜଣାପଡ଼ିଛି ଯେ, କଳକାରଖାନା, ଗାଡ଼ିମୋଟର ଓ ନିର୍ମାଣ ଆଦି କ୍ଷେତ୍ରରୁ ୭୦ ପ୍ରତିଶତ ବାୟୁ ପ୍ରଦୂଷଣ ଘଟୁଛି। ଆଇଆଇଟି କାନପୁର ଓ ଦିଲ୍ଲୀ ସରକାରଙ୍କ ଏକ ମିଳିତ ଅନୁଧ୍ୟାନ କହେ ଯାନବାହନ ଓ କଳକାରଖାନାରୁ ନିର୍ଗତ ଦୂଷିତ ବର୍ଜ୍ୟ ଯୋଗୁ ଏଠାକାର ପ୍ରଦୂଷଣ ବଢ଼ିଯାଇଛି। ଏହି ରିପୋର୍ଟରେ କୁହାଯାଇଛି, ଦିଲ୍ଲୀ ବାୟୁ ପ୍ରଦୂଷଣର ୪୧ପ୍ରତିଶତ ଯାନବାହନ ଯୋଗୁ ହେଉଥିବାବେଳେ ଶିଳ୍ପରୁ ୧୮% ଓ ଧୂଳିର ୨୨% ଭୂମିକା ରହୁଛି। ବିଭିନ୍ନ ରିପୋର୍ଟର ପରିସଂଖ୍ୟାନଗତ ତଥ୍ୟ ଅଲଗା ରହୁଥିଲେ ମଧ୍ୟ ବାଣ ଫୁଟା ଓ ଖୁଣ୍ଟା ପୋଡ଼ି ଅପେକ୍ଷା ଉପରଲିଖିତ ପ୍ରଦୂଷଣକାରୀ ଉତ୍ସର ଯୋଗଦାନ ଯଥେଷ୍ଟ ଅଧିକ। ତେଣୁ ସୁପ୍ରିମକୋର୍ଟ ପ୍ରଦୂଷଣ ପାଇଁ କେବଳ ନାଗରିକଙ୍କ ଦୋଷତ୍ରୁଟିକୁ ଦେଖିଲା ଭଳି ମନେହେଉଛି। ଚଳିତ ବର୍ଷ ଯମୁନା ନଦୀରେ ଛଟ୍‌ପୂଜା ନ କରିବା ଲାଗି ଅଦାଲତ ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛଟ୍‌ପୂଜାରୁ କେତେ ପରିମାଣ ଓ କେଉଁ ପ୍ରକାରର ପ୍ରଦୂଷଣ ଘଟିଥାଏ ତାହାର ତଥ୍ୟ କାହା ପାଖରେ ନାହିଁ। ମନେରଖିବାକୁ ହେବ ଯେ, ଯମୁନା ନଦୀରେ ଭାସୁଥିବା ଫେଣ ଛଟ୍‌ପୂଜା ଯୋଗୁ ଘଟି ନ ଥାଏ। ଆଗ୍ରା, ପାନିପଥ, ସୋନିପଥ, ଫରିଦାବାଦ, ଗୁରୁଗ୍ରାମ ଆଦି ସ୍ଥାନରେ ଥିବା ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ କଳକାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥ ଓ ଅଣବିଶୋଧିତ ମଇଳା ପାଣି ଯୋଗୁ ଯମୁନା ପ୍ରଦୂଷିତ ହେବାରେ ଲାଗିଛି। ଏହି ମୂଳ କାରଣକୁ ନ ଖୋଜି ନାଗରିକଙ୍କ ଉପରେ ଦୋଷ ଲଦି ଦେବାର ଗୋଟେ ରୀତିମତ ପ୍ରୟାସ ଚାଲିଛି।
ଓଡ଼ିଶାକୁ ଫେରିଲେ ଏଠାରେ ଦିଲ୍ଲୀର ଭୟ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇଥିଲା। ଭାରତର ସବୁଠୁ ପ୍ରଦୂଷିତ ୧୬ଟି ସହର ମଧ୍ୟରେ ଓଡ଼ିଶାର ୬ଟି ଥିଲା ବୋଲି ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦର୍ଶାଇଥିଲା। ଉଦ୍‌ବେଗଜନକ ବିଷୟ ହେଉଛି ଅନୁଗୋଳ ସହରର ବାୟୁ ଗୁଣମାନ ସୂଚକାଙ୍କ(ଏକ୍ୟୁଆଇ) ୩୫୭ ଥିଲାବେଳେ ଦିଲ୍ଲୀରେ ସେତେବେଳେ ଏହା ଥିଲା ୩୪୬। ଏହାବାଦ୍‌ ତାଳଚେର, କଟକ, ଭୁବନେଶ୍ୱର, ବାଲେଶ୍ୱର, ଓ କେନ୍ଦୁଝର ଏକ୍ୟୁଆଇ ବିପଜ୍ଜନକ ରହିବା ପଛରେ କଳକାରଖାନା, ଖଣିଖାଦାନ ଓ ଗଦାଗଦା ବର୍ଜ୍ୟ ଦାୟୀ ବୋଲି କୁହାଯାଇପାରେ।
ଦିଲ୍ଲୀଠାରୁ ଅନୁଗୋଳ ପର୍ଯ୍ୟନ୍ତ ପ୍ରଦୂଷଣକୁ ଦେଖିଲେ ସବୁଥିରେ ନାଗରିକଙ୍କୁ ଦାୟୀ କରା ନ ଯାଇ ପ୍ରଦୂଷଣକାରୀ କମ୍ପାନୀ, ନିର୍ମାଣ ସଂସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଦେଖାଦେଉଥିବା ଅବ୍ୟବସ୍ଥାକୁ ସୁଧାରିବା ଦିଗରେ ଗୁରୁତ୍ୱ ଦେବାର ସମୟ ଆସିଲାଣି। ନାଗରିକଙ୍କୁ ଆଧାର ସହ ପାନ୍‌ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଲାଗି ବାରମ୍ବାର ଦୌଡ଼ା ଯିବାଠାରୁ ଆରମ୍ଭ କରି ସ୍ବଚ୍ଛତା ଟିକସ, ଶିକ୍ଷା ସେସ୍‌, ଜିଏସ୍‌ଟି ଭଳି ଟିକଟ ବସାଇ ସରକାର ଆମ୍ଭମାନଙ୍କୁ ଘାଣ୍ଟିବାରେ ଲାଗିଛନ୍ତି। ସେମିତି କଚେରି ଚତୁରତାର ସହିତ ସବୁ ବୋଝ ନାଗରିକଙ୍କ ଉପରେ ପ୍ରଥମେ ଅଜାଡ଼ି ଦେଇ ଝାଡ଼ିଝୁଡ଼ି ବସି ପୋଲିସକୁ ଲଗାଇ ଦେଉଛି। ଅନ୍ୟପଟେ କର୍ପୋରେଟ୍‌ ସଂସ୍ଥା ଯେତେ ବେଆଇନ କାର୍ଯ୍ୟ କଲେ ମଧ୍ୟ ତାହା ପ୍ରତି ସରକାରଙ୍କଠାରୁ ଆରମ୍ଭ କରି ଅଦାଲତ ପର୍ଯ୍ୟନ୍ତ ନରମଭାବ ପ୍ରଦର୍ଶନ କରିବା ହୋଇଯାଇଛି ଯେମିତି ନୂଆ ନିୟମ।


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri