ଆଉ ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୯(ବ୍ୟୁରୋ):  ବହୁ କୋଟି ଟଙ୍କାର କ୍ୟୁ ନେଟ୍‌ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଅନ୍ୟତମ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ପଟିଆ ମାରୁତି ଭିଲାର ଏମ୍‌ଆଇଜି-୧୦ରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି(୩୭)। ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଦଫା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦-ବି’ ରେ ମାମଲା ନଂ-୧୭/୨୦ ରୁଜୁ କରି କଟକ ଓପିଆଇଡି କୋର୍ଟକୁ ଚାଲାଣ କରିଛି।
ସୂଚନା ଅନୁଯାୟୀ, ମଲ୍ଟି ଲେଭଲର କ୍ୟୁ ନେଟ୍‌ କମ୍ପାନୀ ହଂକଂରେ ପଞ୍ଜୀକୃତ ହୋଇ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ଭାରତକୁ ବିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ନାମ ସଂସ୍ଥା ଉକ୍ତ କମ୍ପାନୀକୁ ଫ୍ରାଞ୍ଚାଇଚ୍‌ ଭାବେ ଆଣିଥିଲା। ଓଡ଼ିଶାରେ ଉକ୍ତ କମ୍ପାନୀର ଉଚ୍ଚପଦପଦବୀରେ ରହି କାର୍ଯ୍ୟ କରୁଥିବା ଚନ୍ଦନ କୁମାର ମହାଲିକ, ଶରତ ପରିଡା, ଦେବବ୍ରତ ହରିଚନ୍ଦନ, ପ୍ରଶାନ୍ତ କୁମାର ମହାନ୍ତି ଏବଂ ଅନ୍ୟମାନେ ବେଆଇନ ଭାବେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଲୋଭନୀୟ ସ୍କିମ୍‌ ଜରିଆରେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଦେବା ସହ ଚେନ୍‌ ସିଷ୍ଟମ କରି ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ। ଲୋଭରେ ପଡ଼ି ଟଙ୍କା ଜମା କରିଥିବା ଲୋକେ ପରବର୍ତ୍ତୀ ସମୟରେ ଚୁକ୍ତି ଅନୁସାରେ କିଛି ବି ପାଇ ନ ଥିଲେ। ଏ ନେଇ ୧.୨ କୋଟି ଜମା କରି ଠକେଇର ଶିକାର ହୋଇଥିବା ୩୧ଜଣ ବ୍ୟକ୍ତି ୨୦୧୭ରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହି ସଂସ୍ଥା ଭାରତରୁ ୫ ହଜାର କୋଟି ଟଙ୍କା ଠକେଇ କରିଥିବା ଜଣାପଡିଥିଲା। ୨୦୧୯ ଅକ୍ଟୋବର ୧ରେ କମ୍ପାନୀର ନିର୍ଦ୍ଦେଶକ ଓ ଅନ୍ୟ ପଦପଦବୀରେ ଥିବା ଶରତ ପରିଡା, ଦେବବ୍ରତ ହରିଚନ୍ଦନ, ଚନ୍ଦନ କୁମାର ମହାଲିକ ଗିରଫ ହୋଇଥିଲେ। ହେଲେ ପ୍ରଶାନ୍ତ କୁମାର ମହାନ୍ତି ଫେରାର ଥିଲେ।

Share