ମହାମାରୀ ଦେଖାଇଲା ନୂଆ ବାଟ

କେନ୍ଦୁଝର,୧୬।୭(ସ୍ବ.ପ୍ର.): ପେସା ଶିକ୍ଷକତା, ହେଲେ କରୋନା ବେଳେ ସମୟର ସଦୁପଯୋଗ କରି ଚାଷକୁ ନିଶା ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ଜିତେନ୍ଦ୍ର ମହାନ୍ତ। ଗ୍ରାମଠାରୁ ପ୍ରାୟ ୧୦୦ କି.ମି. ଦୂର ଏକ ବିଦ୍ୟାଳୟରେ ସେ ୫ବର୍ଷ ହେଲା ଶିକ୍ଷକତା କରିଆସୁଛନ୍ତି। ହେଲେ କରୋନା ସମୟରେ ସ୍କୁଲ ବନ୍ଦ ରହିବାରୁ ସେ ଘରେ ରହି ଅନ୍ୟାନ୍ୟ ଚାଷ ସହିତ ଲେମ୍ବୁ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଏକ ଚାଷୀ ପରିବାରରେ ଜନ୍ମ ହୋଇଥିବା ଜିତେନ୍ଦ୍ରଙ୍କ ପିଲାଦିନରୁ ଚାଷ ପ୍ରତି ଦୁର୍ବଳତା ଥିଲା।

ସ୍କୁଲ ଓ କଲେଜରେ ପଢା ଶେଷ ହେବା ପରେ ଶିକ୍ଷକ ହେବାକୁ ମନ ବଳାଇ ରାଇସୁଆଁ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତା ଆରମ୍ଭ କଲେ। ଦୀର୍ଘ ୫ ବର୍ଷ ହେଲା ସେ ଗଣିତ ପଢାଉଛନ୍ତି। ଶିକ୍ଷକତା ସହ ୨୦୧୮ରେ ବିଏଡ୍‌ ଶିକ୍ଷା ଲାଭ କରିବା ପରେ ୨୦୧୯ରେ ଓଟିଇଟି, ଓଏସଏସଟିଇଟି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଏବେ ସରକାରୀ ଚାକିରି ଅପେକ୍ଷାରେ ରହିଛନ୍ତି ଜିତେନ୍ଦ୍ର।

ସେ ଘରେ ୧୫ଟି ଲେମ୍ବୁ ଗଛ ଲଗାଇ ସେଥିରୁ ୨ବର୍ଷ ହେଲା ଲକ୍ଷାଧିକ ଟଙ୍କାର ଲେମ୍ବୁ ବିକିସାରିଛନ୍ତି। ତେବେ କରୋନା କଟକଣା ପାଇଁ ବାହାରକୁ ନେଇ ଲେମ୍ବୁ ବିକିବା ସୁବିଧା ହେଉନାହିଁ। ଏଣୁ ଲେମ୍ବୁ ଗଛରେ ନଷ୍ଟ ହେଉଥିବା ଜିତେନ୍ଦ୍ର କହିଛନ୍ତି। ଘରୁ ବାଇକରେ ସ୍କୁଲକୁ ଆସିଲା ବେଳେ ବସ୍ତାରେ ଲେମ୍ବୁ ଭର୍ତ୍ତି କରି ଆଣି କେନ୍ଦୁଝର ସହରରେ ବିକିଥାନ୍ତି। ଗତବର୍ଷ ସେ ଲେମ୍ବୁ ବିକି ପାଖାପାଖି ୩ଲକ୍ଷ ଟଙ୍କା ପାଇଥିବା ସେ କହିଛନ୍ତି। ତେବେ ଚଳିତବର୍ଷ ସେଭଳି ବିକି ପାରିନାହାନ୍ତି। ଏବେ ମଧ୍ୟ ଗଛରେ ଲେମ୍ବୁ ବିକ୍ରି ନ ହୋଇ ରହିଛି । ବେପାରୀମାନେ ଯାଇ ପାରୁନାହାନ୍ତି କିମ୍ବା ସେ ଲେମ୍ବୁ ଧରି ହାଟବଜାର ଆସିପାରୁନାହାନ୍ତି ବୋଲି କହିଛନ୍ତି । ଲକ୍‌ଡାଉନ ବେଳେ ରୋଜଗାର ପାଇଁ ଚିନ୍ତା କରି ବାପା ଓ ଭାଇଙ୍କ ସହିତ ମିଶି ଚାଷ କାର୍ଯ୍ୟରେ ଲାଗିଥିବା ସେ କହିଛନ୍ତି। ଧାନ ଓ ପନିପରିବା ଚାଷ ସହିତ ଲେମ୍ବୁ ଚାଷ କରୁଥିବା ସେ କହିଛନ୍ତି। ଘରେ ବାପା ନାରାୟଣ ମହାନ୍ତ ଓ ମା’ ସରସ୍ବତୀ ମହାନ୍ତ, ଭାଇ ଗୁରୁପ୍ରସାଦଦ ମହାନ୍ତ ଓ ଭାଉଜ ଅଛନ୍ତି । ସମସ୍ତେ ମିଶି ଚାଷ କରି ପରସ୍ପରକୁ ସହଯୋଗ କରିଆସୁଛନ୍ତି।

Share