ସହରରେ ଏରାଗୁଲା ଗ୍ୟାଙ୍ଗ୍‌ ସକ୍ରିୟ

ଅନୁଗୋଳ ଅଫିସ, ୧୧ା୧୧: ଅନୁଗୋଳ ଥାନା ଅଞ୍ଚଳରେ ବଢ଼ୁଛି ଲୁଟ୍‌ପାଟ। କିଛିଦିନ ହେଲା ସହରରେ ସକ୍ରିୟ ରହିଛନ୍ତି ଏରାଗୁଲା ଗ୍ୟାଙ୍ଗ। ସ୍ପଷ୍ଟ ଦିବାଲୋକରେ ସେମାନେ ନାନା ବାହାନା ଦେଖାଇ ଲୋକଙ୍କଠାରୁ ଟଙ୍କା, ସୁନା ଆଦି ଲୁଟି ନେଉଛନ୍ତି। ସୁଯୋଗ ପାଇବା ମାତ୍ରେ ବୟସ୍କ ଓ ମହିଳାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବାରମ୍ବାର ଏପରି ଅପରାଧ ଥାନା ଅଞ୍ଚଳରେ ଘଟୁଥିଲେ ବି ପୋଲିସ କେବଳ ମାମଲା ରୁଜୁ କରିବା ବ୍ୟତୀତ ଏହାକୁ ରୋକିପାରୁ ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ପୋଲିସର ଏହି ବିଫଳତା ପାଇଁ ମହିଳା ଓ ବୟସ୍କ ବ୍ୟକ୍ତିମାନେ ବଜାର କି ବ୍ୟାଙ୍କ ଆସିବାକୁ ଭୟ କରୁଥିବା ସହରବାସୀ କହିଛନ୍ତି।
କିଛି ଦିନ ତଳେ ଅନୁଗୋଳ ସହର ହନୁମାନ ବଜାର ନିକଟରୁ ଜଣେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଲୁଟେରାମାନେ ଝାମ୍ପି ନେଇଥିଲେ। ଅନୁଗୋଳ ଜେଲ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଭୁଲାଇ ଟଙ୍କା, ସୁନା ମୁଦି ଓ ଚେନ ଥିବା ବ୍ୟାଗ ଧରି ଫେରାର ହୋଇଯାଇଥିଲେ। ଗତ ସୋମବାର କାଞ୍ଚନ ଟକିଜ୍‌ ନିକଟରେ ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ୍‌ କରିଥିଲେ। ଆଠମଲ୍ଲିକରୁ ଆସିଥିବା ସମ୍ପୃକ୍ତା ମହିଳାଙ୍କୁ ଭୂତାଇ ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟିବାରେ ସକ୍ଷମ ହୋଇଥିଲେ। ବିଇଡି ଛକରୁ ଆରମ୍ଭ କରି ଉପଜିଲାପାଳଙ୍କ ବାସଭବନ ଓ ମିଶ୍ରପଡ଼ା ଛକ ଆଦି ଅଞ୍ଚଳରେ ଏହି ଲୁଟେରାମାନେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ଏପରି କି କଲୋନୀ, ଓ୍ବାର୍ଡଗୁଡ଼ିକରେ ପ୍ରାତଃଭ୍ରମଣ କରୁଥିବା କିମ୍ବା ଫୁଲ ତୋଳୁଥିବା ମହିଳା, ବୟସ୍କଙ୍କଠାରୁ ସୁନା ଚେନ, କାନଫୁଲ ଆଦି ଝାମ୍ପି ନେଉଛନ୍ତି। ଏଥିସହ ଠିକଣା ପଚାରିବା ବାହାନାରେ ବେକରୁ ଚେନ ଝାମ୍ପି ଚମ୍ପଟ ମାରୁଛନ୍ତି। ସେହିପରି ଏହି ଗ୍ୟାଙ୍ଗରେ ଥିବା କେତେଜଣ ନାବାଳକ ଦାମୀ ମୋଟର ସାଇକେଲଗୁଡ଼ିକୁ ଟାର୍ଗେଟ୍‌ କରି ଚୋରି କରୁଥିବା ଜଣାପଡ଼ିଛି। ମୋବାଇଲ ଠାରୁ ଆରମ୍ଭ କରି ଘରେ ପଶି କଳାକନା ବୁଲାଇବା ନେଇ ଏକାଧିକ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ସହରବାସୀଙ୍କୁ ସୁରକ୍ଷା ଦେଇପାରୁ ନାହିଁ। ଅଳ୍ପକେତୋଟି ମାମଲାରେ ଯଦିଓ ପୋଲିସ ଅପରାଧୀଙ୍କୁ ଧରିପାରିଛି, ହେଲେ ତାହା ସନ୍ତୋଷଜନକ ନୁହେଁ ବୋଲି ସହରବାସୀ ମତ ଦେଇଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏରାଗୁଲା ଗ୍ୟାଙ୍ଗ ଏପରି ଲୁଟ୍‌ପାଟରେ ସାମିଲ ଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।