ସତ ହେଲା ଆକଳନ

ଅଭିନେତା ଦେବାଶିଷ ପାତ୍ର। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରରେ ନାରଦ ଭୂମିକାରୁ ଆରମ୍ଭ ହୋଇଥିଲା ତାଙ୍କର ବଡ଼ ପରଦା କ୍ୟାରିୟର। ଇତିମଧ୍ୟରେ ସେ ‘ପହିଲି ରଜ’, ‘ଭୁଲ୍‌ ବୁଝିବନି ମୋତେ’, ‘ତତେ ଭଲ ପାଇଛି ବୋଲି’, ‘କ୍ରାନ୍ତିଧାରା’, ‘ତୁ ଯେ ସେହି’ ଆଦି ୨୫ଟି ଓଡ଼ିଆ ସିନେମାରେ ଅଭିନୟ କରି ନିଜ ଆକ୍ଟିଂ ଦକ୍ଷତାର ପରିଚୟ ଦେଇସାରିଛନ୍ତି। ଟେଲି ଫିଲ୍ମ ‘କାଳିଆ କରୁଛି ଲୀଳା’ର ସେ ପ୍ରଯୋଜନା କରିବା ସହ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅଶ୍ୱିନୀ ଗଡ଼ନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ପରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲା। ସେତେବେଳେ ଏହାକୁ ରାଜ୍ୟ ଟେଲି ଚଳଚ୍ଚିତ୍ର ପୁରସ୍କାରଭୁକ୍ତ କରିବାକୁ ସ୍ଥିର କରିଥିଲେ ଦେବାଶିଷ। କେବଳ ସେତିକି ନୁହେଁ, ଏପରି ପୁରସ୍କାର ହାସଲ ପାଇଁ ସେ ଦୃଢ଼ମନା ଥିଲେ। ଶେଷରେ ତାହା ସତ ହୋଇଛି। ନିକଟରେ ୩୧ତମ ରାଜ୍ୟ ଟେଲି ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି, ଯେଉଁଥିରେ ଏହି ଫିଲ୍ମଟି ଛଅଟି ପୁରସ୍କାର (ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ପ୍ରଯୋଜକ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା-ଜୀବନ ପଣ୍ଡା ଏବଂ ଶ୍ରେଷ୍ଠ ସମ୍ପାଦନା-ଚନ୍ଦ୍ରଶେଖର ମିଶ୍ର) ହାସଲ କରିଛି। ଏ ସମ୍ପର୍କରେ ଦେବାଶିଷ କହନ୍ତି, ‘ଏହାର କାହାଣୀ ଚୟନ ଏବଂ ଶୁଟିଂ ସମୟରେ ମୋର ଦୃଢ଼ ବିଶ୍ୱାସ ଥିଲା ଯେ ମୋ ଫିଲ୍ମ ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବା ସହ ଏପରି ସମ୍ମାନଜନକ ପୁରସ୍କାର ପାଇବାରେ ସଫଳ ହେବ। ତାହା ଏବେ ସତରେ ପରିଣତ ହୋଇଛି। ଏଣିକି ଭଲ ଭଲ କାହାଣୀକୁ ଆଧାର କରି ଟେଲି ଫିଲ୍ମ ନିର୍ମାଣ କରିବାକୁ ଚେଷ୍ଟା ଜାରି ରଖିବି।’

Share