ବିଧାନସଭା ଡିଜିଟାଇଜେଶନ ଲାଗି ୩.୮ କୋଟି ବ୍ୟୟ ଅଟକଳ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ବିଧାନସଭା ବୈଠକର ସମସ୍ତ ଆଲୋଚନାର ବିବରଣୀ ଏବଂ ବିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେଶନ କରିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟକ୍ରମ ଉପରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟକୁ ୩.୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ପ୍ରଦାନ କରାଯାଇଛି। ବର୍ତ୍ତମାନ ମନ୍ତ୍ରଣାଳୟ ତରଫରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବୈଠକରେ ହୋଇଥିବା ଆଲୋଚନା ମୁତାବକ, ବିଧାନସଭାରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ପ୍ରାୟ ୧୦ ହଜାର ନଥି ନଷ୍ଟ ହେବା ଅବସ୍ଥାକୁ ଆସିଗଲାଣି। ସେଗୁଡ଼ିକର ପୁନରୁଦ୍ଧାର କରାଯିବା ନିତାନ୍ତ ଆବଶ୍ୟକ। ସେହିପରି ରେକର୍ଡ ମାନୁଆଲ ଅନୁଯାୟୀ ବିଧାନସଭା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ଗୁଡ଼ିକର ମଧ୍ୟ ଡିଜିଟାଇଜେଶନ କରାଯିବ। ଏହାସହ ବିଧାନସଭା ଗ୍ରନ୍ଥାଗାରର ସମସ୍ତ ପୁସ୍ତକ ମଧ୍ୟ ଇ-ମୋଡ୍‌ରେ ସ୍ଥାନିତ କରାଯିବ। ଫାଇଲ୍‌ଗୁଡ଼ିକର ସ୍କାନିଂ ପାଇଁ ଓକାକ୍‌ ମାଧ୍ୟମରେ ଟେଣ୍ଡର ଆହ୍ବାନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ବିଧାନସଭା ତଥ୍ୟର ଡିଜିଟାଇଜେଶନ ପାଇଁ ପୁଣେ ଏବଂ ହାଇଦ୍ରାବାଦର ୨ଟି ପ୍ରତିଷ୍ଠିତ ଏବଂ ଆଇଟି ସଂସ୍ଥା ସହ ଆଲୋଚନା କରାଯାଇ ଏ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରଦାନ ଲାଗି ସମ୍ପୃକ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି।

Share