ନୂଆଦିଲ୍ଲୀ,୨୧।୧୦: ପାର୍ଲାମେଣ୍ଟରେ ପ୍ରଶ୍ନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ମହୁଆ ମୋଇତ୍ରଙ୍କ ବିରୋଧରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦନୀଙ୍କ ସତ୍ୟପାଠ ଆମେ ପାଇଛୁ ବୋଲି ଲୋକ ସଭା ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋଙ୍କର ଶୁକ୍ରବାର କହିଛନ୍ତି। ଆସନ୍ତା ୨୬ ତାରିଖରେ ଭାଜପା ଏମ୍ପି ନିଶିକାନ୍ତ ଦୁବେ ଏବଂ ସୁପ୍ରିମକୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହଦ୍ରାଇଙ୍କ ବୟାନ ଶୁଣିବା ପରେ ଟିଏମ୍ସି ନେତ୍ରୀଙ୍କୁ ସମନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବିନୋଦ କହିଛନ୍ତି। ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଯଦି ସିବିଆଇ ଏବଂ ସଂସଦୀୟ ଏଥିକ୍ସ କମିଟି ତାଙ୍କୁ ଡାକନ୍ତି, ତେବେ ସେ ଉତ୍ତର ରଖିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶୁକ୍ରବାର ମହୁଆ କହିଛନ୍ତି। ତେବେ ବ୍ୟବସାୟୀଙ୍କ ସତ୍ୟପାଠ ଗଣମାଧ୍ୟମରେ ପହଞ୍ଚତ୍ଲା ବୋଲି ସେ ପ୍ରଶ୍ନ କରିବା ସହ ଏଥିକ୍ସ କମିଟି ଅଧ୍ୟକ୍ଷ ପ୍ରଥମେ ଏହାର ତଦନ୍ତ କରନ୍ତୁ ବୋଲି କହିଛନ୍ତି। ଆଦାନୀଙ୍କ ବିରୋଧରେ ଅଭିଯୋଗ ଆଣୁଥିବାରୁ ତାଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଭାଜପାର ଏକମାତ୍ର ଏଜେଣ୍ଡା ବୋଲି ମହୁଆ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ରେ ଲେଖିଛନ୍ତି।