ମହାକାଳପଡ଼ା, ୬ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା-ଯାଜପୁର ଲଳିତଗିରି ଓଳାଶୁଣୀ ପାହାଡ଼ ପାଦଦେଶରୁ ପ୍ରବାହିତ ଚିରସ୍ରୋତା ଗୋବରୀ ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ଜମ୍ବୁ ସଂଲଗ୍ନ ବଙ୍ଗୋପସାଗର ଚଟକା ହ୍ରଦରେ ମିଶିଛି। ଏବେ ଏହା ଅବହେଳିତ ହୋଇ ବିଷାକ୍ତ ହେବାରେ ଲାଗିଛି। ପ୍ରାଚୀନ ଓଳାଶୁଣୀ ଗୁମ୍ଫା ପାହାଡ଼ରୁ ପ୍ରବାହିତ ଗୋବରୀ ସମୟ କ୍ରମେ ପଠା ସୃଷ୍ଟି ହୋଇ ପୋତି ହୋଇଯାଇଥିବା ଦେଖିବାକୁ ମିଳୁଛି। ଗୋବରୀ ନଦୀ ପଥରେ ସମୁଦ୍ରରୁ ବ୍ରିଟିଶ ଶାସକମାନେ ଷ୍ଟିମର ଯୋଗେ ବାଣିଜ୍ୟ ବ୍ୟବସାୟ କରୁଥିଲେ। ଓଡ଼ିଶାର ପ୍ରମୁଖ ହଜାର ବର୍ଷର ପ୍ରାଚୀନ ନୌବାଣିଜ୍ୟ କେନ୍ଦ୍ର କଟକ ଜୋବ୍ରାକୁ ଜଳପଥରେ ପରିବହନ କରାଯାଉଥିଲା। ପୂର୍ବପରି ଚିରସ୍ରୋତା ଗୋବରୀ ନଦୀ ମଝିରେ ବାଲି, ମାଟି, ପଙ୍କ, ଛୋଟ ଛୋଟ ଗଛଲତା, କଲିକତି ଦଳରେ ପରିପୂର୍ଣ୍ଣ ହୋଇଛି। ଦିନ ଥିଲା ଏହି ଗୋବରୀ ନଦୀରେ ଇଲିଶି, ଭେକ୍ଟା, ଖଙ୍ଗା, ବଡ଼ ଚିଙ୍ଗୁଡ଼ି, ଶାଆଳ, ଚିତଳ ସମେତ ବହୁ ପ୍ରଜାତିର ମାଛ ଧରି ସ୍ଥାନୀୟ ଧୀବର ଗୁଜୁରାଣ ମେଣ୍ଟାଉଥିଲେ। ପୂର୍ବପରି ମାଛ ମିଳୁନାହିଁ। କାରଣ ମାଛବଂଶ ଧୀରେ ଧୀରେ ଲୋପପାଇବାକୁ ବସିଲାଣି। ପୂର୍ବରୁ ନଦୀରେ ଧୀବରମାନେ ମାଛ ଧରି ପରିବାର ପ୍ରତିପୋଷଣ କରୁଥଲେ। ମାତ୍ର ସେଥିରୁ ଏବେ ଦିନକୁ ୨ କିଲୋ ମାଛ ଧରିବା କଷ୍ଟସାଧ୍ୟ ହେଉଥିବା ଓରତ, ଅଳାଇଲୋ ଅଞ୍ଚଳର କେତେଜଣ ପାରମ୍ପରିକ ମତ୍ସ୍ୟଜୀବୀ କହିଛନ୍ତି। ସେହିପରି ପ୍ରାଚୀନ ଓରତ ଘାଟଠାରେ ଏକ ସେତୁ ନିର୍ମାଣ ପରେ ଉଭୟ ପାର୍ଶ୍ୱରେ ବୃହତ୍ ପଠା ସୃଷ୍ଟି ହୋଇଛି। ଏହି ପଠାରେ ବର୍ଷ ସାରା ଦେଶୀ ବିଦେଶୀ ପକ୍ଷୀଙ୍କ ଆଡ୍ଡା ଜମାଇବା ଦେଖିବାକୁ ମିଳେ। ଅପରପକ୍ଷରେ ଗୋବରୀ ନଦୀର ରଡ଼ିଆ, କାଉସପାଳ, ଭାଟେଣି ଆଦି ଅଞ୍ଚଳଗୁଡ଼ିକରେ ପଠା ଦେଖିବାକୁ ମିଳୁଛି। ନଦୀରେ ବହୁ ସଂଖ୍ୟାରେ ବଉଳା କୁମ୍ଭୀରଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ , ଲକ୍ଷ୍ମୀକାନ୍ତ ସ୍ବାଇଁ ପ୍ରମୁଖ କହିଛନ୍ତି।
ଏହି ଗୋବରୀ ନଦୀରେ କେତେଜଣ ଦୁର୍ବୃତ୍ତ ବିଳମ୍ବିତ ରାତିରେ ସାମୁଦ୍ରିକ ଜୁଆର ସମୟରେ ବିଷ ପକାଇ ମୂଲ୍ୟବାନ ମାଛ ମାରୁଛନ୍ତି। ବିଶେଷକରି ବଡ଼ ବଡ଼ ଚିଙ୍ଗୁଡ଼ି ବିଷ ନିଶାରେ କୂଳରେ ଲାଗିଥାନ୍ତି। ପରେ ସକାଳୁ ସକାଳୁ ନଦୀ କୂଳରୁ ଚିଙ୍ଗୁଡ଼ି ଧରି କିଲୋ ପ୍ରତି ୫ ଶହରୁ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ଥାନୀୟ ମାଛ ଗଦିରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଫଳରେ ନଦୀପାଣି ବିଷାକ୍ତ ହେଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସାଧାରଣତଃ ନଦୀ କୂଳିଆ ଗଁାର ଲୋକ ଏହି ନଦୀ ଜଳକୁ ନିତ୍ୟ ବ୍ୟବହୃତ କରିଥାନ୍ତି। ସେହିପରି ନଦୀରେ ଗାଧୋଇବାଠାରୁ ଆରମ୍ଭକରି ଗୃହପାଳିତ ପ୍ରାଣୀମାନଙ୍କୁ ନଦୀର ଜଳକୁ ବ୍ୟବାହର କରାଯାଇଥାଏ। ଦୁର୍ବୃତ୍ତମାନେ ନଦୀରେ ବିଷ ପକାଇବା ଦ୍ୱାରା ଏହାର ପ୍ରଭାବରେ ଶରୀରରେ ବିଭିନ୍ନ ଚର୍ମରୋଗ ଓ ଅନ୍ୟ ମାରାତ୍ମକ ରୋଗର ଶିକାର ପ୍ରାଣୀମାନେ ହେଉଛନ୍ତି। ସ୍ଥାନୀୟ ଲୋକ ନଦୀକୁ ଶୌଚହେବାକୁ ଯାଇ କୁମ୍ଭୀର ଆକ୍ରମଣରେ ଶିକାର ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ନଦୀ କେନ୍ଦ୍ରାପଡ଼ାଠାରୁ ଜମ୍ବୁ ପର୍ଯ୍ୟନ୍ତ ଖନନ ପାଇଁ ଜଳସେଚନ ବିଭାଗ (ଜଳନିକାଶ ବିଭାଗ) ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ ହେଉଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଏଥିପାଇଁ ୮ ଶହ କୋଟି ଟଙ୍କାର ଏକ ପ୍ରସ୍ତାବିତ ମେଗା ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ନଦୀ କୂଳିଆ ଚାଷ ଜମିଗୁଡ଼ିକରେ ବିଭିନ୍ନ ପ୍ରକାର ପନିପରିବା ଫସଲ, ଧାନ, ମୁଗ, ବିରି, ଆଳୁ, ଲଙ୍କା ଆଦି ଚାଷ କରାଯାଉଥିବା ଦେଖିବାକୁ ମିଳେ। ପ୍ରାଚୀନ ଚିରସ୍ରୋତା ଗୋବରୀ ନଦୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।