ଭୁବନେଶ୍ୱର (ବ୍ୟୁରୋ)/ ଯୋଡ଼ା (ଡି.ଏନ.ଏ.), ୮ା୧୧: ୨୦୧୦-୧୧ରେ ଓଡ଼ିଶାର ଖଣି ଦୁର୍ନୀତି ସାରା ଦେଶରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏମ୍.ବି. ଶାହ କମିଶନ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି(ସିଇସି) ଉକ୍ତ ଖଣି ଦୁର୍ନୀତିର ତଦନ୍ତ କରିଥିଲେ। ତଦନ୍ତ ସମୟରେ ବିପୁଳ ପରିମାଣରେ ବେଆଇନ ଖଣି ଉତ୍ତୋଳନ କରାଯାଇଥିବା ଜଣାପଡ଼ିଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଖଣି ଖନନ କରିଥିବା ଲିଜ୍ଧାରୀମାନେ ଏଯାବତ୍ ରାଜ୍ୟ ସରକାରଙ୍କ ନିକଟରେ ୧୯ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ପଇଠ କଲେଣି। ଏହା ସତ୍ତ୍ୱେ ଖଣି କମ୍ପାନୀଗୁଡ଼ିକ ଖଣିଜ ପଦାର୍ଥ ଚୋରି କରିବାରୁ ନିବୃତ୍ତ ହୋଇପାରୁ ନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରା କରି ରାଜସ୍ବ ଫାଙ୍କିବା ଉଦ୍ଦେଶ୍ୟରେ ଉଚ୍ଚ ଲୌହାଂଶ ଥିବା ପଥରକୁ ନିମ୍ନ ମାନର ଦର୍ଶାଇ ଚାରା ଚାଲାଣ କରାଯାଉଛି। କେବଳ ରାଜ୍ୟ କି ଦେଶ ମଧ୍ୟରେ ନୁହେଁ, ଏବେ ଏହି ଚୋରା କାରବାର ବିଦେଶକୁ ଲମ୍ବିଥିବା ଜଣାପଡ଼ିଛି। ଗତ ୨୯ତାରିଖରେ ପାରାଦୀପ ବନ୍ଦରଠାରେ ଏକ୍ସାଇଜ ଓ କଷ୍ଟମ ବିଭାଗ ଏକ ରପ୍ତାନିକାରୀ ସଂସ୍ଥା ଉପରେ ଚଢ଼ାଉ କରି ୮.୦୭କୋଟି ଟଙ୍କାର ଜରିମାନା ଲାଗୁ କରିବା ପରେ କିପରି ଟିକସ ଫାଙ୍କି କରାଯାଇ ଖଣିଜ ପଥର ବିଦେଶକୁ ଚାଲାଣ ହେଉଛି ତାହାର ପର୍ଦ୍ଦାଫାଶ ହୋଇଛି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାରାଦୀପ ବନ୍ଦରଠାରେ ଏମ୍ଭି ମ୍ୟାଗନନ୍ ଫର୍ଚ୍ୟୁନ୍ ନାମକ ଏକ ଜାହାଜରେ ପ୍ରାୟ ୫୨ହଜାର ୦୫୧ମେଟ୍ରିକ୍ ଟନ୍ ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିଲା। ଏହି ଲୁହାପଥରକୁ ବି.ଏସ୍. ମିନେରାଲ ନାମକ ଏକ ସଂସ୍ଥା ପକ୍ଷରୁ ରପ୍ତାନି କରାଯାଉଥିଲା। ଖବରପାଇ ଏକ୍ସାଇଜ୍ ଏବଂ କଷ୍ଟମ୍ସ ବିଭାଗ ପକ୍ଷରୁ ରପ୍ତାନିକାରୀ ସଂସ୍ଥା ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ଜାହାଜରେ ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡର ଟିକସ ଫାଙ୍କି ଘଟଣା ବିଭାଗ ଜାଣିବାକୁ ପାଇଥିଲା। ବିଭାଗ ପକ୍ଷରୁ ବୋଝେଇ ହୋଇଥିବା ଖଣିଜକୁ ଜବତ କରାଯିବା ସହ ୮,୦୭,୨୬,୩୧୪ ଟଙ୍କାର ଜରିମାନା ଏବଂ ୧ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଲାଗୁ କରାଯାଇଥିଲା। ପରେ ୫କୋଟି ୪୦ ଲକ୍ଷ ଟଙ୍କାର ବଣ୍ଡ ପାଇବା ପରେ ଉକ୍ତ ଜାହାଜକୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବା ପାଇଁ ଅନୁମତି ଦିଆଯାଇଥିଲା। ଏହି ଲୁହାପଥର ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ମଣ୍ଡଳ ଓ କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରୁ ପରିବହନ ହୋଇ ବିଦେଶ ରପ୍ତାନି ପାଇଁ ପାରାଦୀପ ବନ୍ଦରକୁ ଯାଇଥିଲା। ନିୟମ ଅନୁସାରେ ୫୭ ପ୍ରତିଶତରୁ ନିମ୍ନରେ ଥିବା ଲୌହାଂଶ ଖଣିଜକୁ ବିଦେଶକୁ ରପ୍ତାନିରେ କର ବା ଟିକସ ଲାଗୁ ହୋଇ ନ ଥାଏ। ୫୮ପ୍ରତିଶତରୁ ଊର୍ଦ୍ଧ୍ୱ ଲୌହାଂଶ ଯୁକ୍ତ ଖଣିଜ ରପ୍ତାନିରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ଦ୍ୱାରା ନିର୍ଦ୍ଧାରିତ ଖଣିଜ ମୂଲ୍ୟର ୩୦ ପ୍ରତିଶତ ରପ୍ତାନି କର ଦେବାକୁ ପଡ଼ିଥାଏ। ହେଲେ ଏଠାରେ ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇ ବିଭିନ୍ନ ଖଣିରୁ ରପ୍ତାନି ହେଉଥିଲା ବୋଲି ଯାଞ୍ଚ ସମୟରେ ଜଣାପଡ଼ିଥିଲା। ତେବେ ବିଭିନ୍ନ ଖଣି ମଣ୍ଡଳରେ ଅବସ୍ଥାପିତ ଖଣି ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦଶକ, ଖଣି ଅଧିକାରୀ, ଖଣି ନିରୀକ୍ଷକଙ୍କ ଅଗୋଚରରେ ଏଭଳି ଚଞ୍ଚକତା କିପରି ହେଉଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଖଣି ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ସନ୍ଦେହ ଘେରରେ ରଖିଛି। ଏନେଇ ଯୋଡ଼ାସ୍ଥିତ ଯୁଗ୍ମ ନିର୍ଦ୍ଦେଶକ ସଲିଲ କୁମାର ବେହେରାଙ୍କୁ ପଚାରିବାରେ ସେ ଏହି ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବେଆଇନ ଖଣିଜ କାରବାରର ଚେର କେନ୍ଦୁଝର ଠାରୁ ଉପାନ୍ତ ଅଞ୍ଚଳ ବଡବିଲ ପର୍ଯ୍ୟନ୍ତ ଲମ୍ବିଛି। ବଡବିଲରେ ଜଣେ ଅଣ ଓଡ଼ିଆ ବ୍ୟବସାୟୀ ଏଥିରେ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବେଆଇନ ଖଣିଜ କାରବାରରେ ସମ୍ପୃକ୍ତ ଅଧିକାରୀଙ୍କ ମୁଖା ଖୋଲିବ ବୋଲି କୁହାଯାଉଛି।