Categories: ଜାତୀୟ

ତୃତୀୟ ଲହର ନିଶ୍ଚିତ, ପିଏମ୍‌ଓକୁ ଅବଗତ କଲା ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ, ୨୩।୮: କରୋନା ମହାମାରୀର ତୃତୀୟ ଲହର ନିଶ୍ଚିତ ଏବଂ ଅକ୍ଟୋବର ବେଳକୁ ଏହା ଶୀର୍ଷ ଛୁଇଁପାରେ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଏନ୍‌ଆଇଡିଏମ୍‌) ଅଧୀନରେ ଗଠିତ ବିଶେଷଜ୍ଞ କମିଟି ସତର୍କ କରାଇଦେଇଛି। ତୃତୀୟ ଲହରରେ ବୟସ୍କଙ୍କ ସମେତ ପିଲାମାନେ ଅଧିକ ସଂକ୍ରମିତ ହେବା ସମ୍ଭାବନା ଥିବାରୁ ଏଥିପାଇଁ ଉପଯୁକ୍ତ ମେଡିକାଲ ପ୍ରସ୍ତୁତି କରିବାକୁ କମିଟି ପରାମର୍ଶ ଦେଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଗଠିତ ଉକ୍ତ କମିଟି ଶିଶୁରୋଗ ବିଭାଗରେ ଡାକ୍ତର, କର୍ମଚାରୀ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଇତ୍ୟାଦି ପ୍ରସ୍ତୁତ କରି ରଖିବାକୁ କହିଛି। କମିଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ରିପୋର୍ଟ ଦାଖଲ କରିଛି।
ଶିଶୁ, ବିଭିନ୍ନ ରୋଗ ଥିବା ବ୍ୟକ୍ତି ଏବଂ ଭିନ୍ନକ୍ଷମଙ୍କୁ ଟିକା ଦେବାକୁ ପ୍ରାଥମିକତା ଦେବା ଲାଗି ରିପୋର୍ଟରେ କୁହାଯାଇଛି। ଶିଶୁମାନଙ୍କୁ କୋଭିଡ୍‌ ଟିକା ଦିଆଯାଇ ନ ଥିବାରୁ ସେମାନଙ୍କ ପ୍ରତି ତୃତୀୟ ଲହର ଅଧିକ ବିପଦ ଆଣିପାରେ ବୋଲି ଅଧିକାଂଶ ବିଶେଷଜ୍ଞ ମତ ଦେଇଛନ୍ତି।

Share