କାନପୁର,୨୨।୧୧: ଉତ୍ତରପ୍ରଦେଶ କାନପୁରରେ ସ୍ବାସ୍ଥ୍ୟବିଭାଗର ଅବହେଳାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏକ ଘରୋଇ ନର୍ସିଂ ହୋମରେ ଆଇ କ୍ୟାମ୍ପ୍ରେ ମୋତିଆବିନ୍ଦୁ ଅପରେଶନ୍ ପାଇଁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି। ସୂଚନାଯୋଗ୍ୟ, ଶିବରାଜପୁରରେ ରହୁଥିବା ଉକ୍ତ ୬ଜଣ ବ୍ୟକ୍ତି ନଭେମ୍ବର ୨ରେ କାନପୁର ସାଉଥର ଆରାଧ୍ୟା ନର୍ସିଂ ହୋମରେ ନିଶୁଳ୍କ ଆଇ କ୍ୟାମ୍ପରେ ମୋତିଆବିନ୍ଦୁ ଅପରେଶନ୍ କରିଥିଲେ। ଅପରେଶନ୍ ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା। କିଛି ସମୟ ପରେ ତାଙ୍କ ଆଖିର ଦୃଷ୍ଟି ଶକ୍ତି ପଳାଇଥିଲା। ଏନେଇ ହସ୍ପିଟାଲରେ ଅଭିଯୋଗ କରିବାରୁ ଡାକ୍ତର ତାଙ୍କୁ ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ। ଶେଷରେ ଉକ୍ତ ବ୍ୟକ୍ତିମାନେ ସିଏମ୍ଓଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସିଏମ୍ଓ ତୁରନ୍ତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କାରଣ ଏହି କ୍ୟାମ୍ପ ସିଏମ୍ଓଙ୍କ ଅନୁମତିରେ ଡିବିସିଏସ୍ ଯୋଜନାରେ ଆୟୋଜିତ ହୋଇଥିଲା।